Home / ସଂସ୍କୃତି ଓ ପରମ୍ପରା / ପାଳନ ହେଲା ଗଙ୍ଗସମ୍ରାଟ ଚୋଡଗଙ୍ଗ ଦେବଙ୍କର ୯୪୫ତମ ରାଜ୍ୟାଭିଷେକ ଦିବସ

ପାଳନ ହେଲା ଗଙ୍ଗସମ୍ରାଟ ଚୋଡଗଙ୍ଗ ଦେବଙ୍କର ୯୪୫ତମ ରାଜ୍ୟାଭିଷେକ ଦିବସ

ପୁରୀ : ତା ୧୭/୦୨/୨୦୨୩
ପୁରୀସହରସ୍ଥିତ ଚୁଡଙ୍ଗସାହି ବଡୁ ମହାପାତ୍ର ଜାଗାରେ ପାଳିତ ହୋଇଯାଇଛି ମହାନ ଗଙ୍ଗବଂଶୀ ସମ୍ରାଟ ତଥା ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାତା ଅନନ୍ତବର୍ମନ ଚୋଡଗଙ୍ଗ ଦେବଙ୍କର ୯୪୫ତମ ରାଜ୍ୟାଭିଷେକ ଦିବସ ଉତ୍ସବ ସମାରୋହ। ରିଡ଼ିସ୍କଭର ଲଷ୍ଟ ହେରିଟେଜ ଗ୍ରୁପ ଓ ବଡୁ ମହାପାତ୍ର ଜାଗାର ସଦସ୍ୟମାନଙ୍କ ମିଳିତ ଆନୁକୂଲ୍ୟରେ ଏହି ଉତ୍ସବଟିକୁ ପାଳନ କରାଯାଇଥିଲା। ଏହି ଅବସରରେ ବଡୁ ମହାପାତ୍ର ଜାଗାରେ ପୁରାତନ ସମୟରୁ ପୂଜା ପାଇ ଆସୁଥିବା ସମ୍ରାଟ ଚୋଡଗଙ୍ଗ ଦେବଙ୍କର ପ୍ରାଚୀନ ପତିମାକୁ ଯଥାରୀତି ଅଭିଷେକ କରାଯାଇଥିଲା।

ଗଙ୍ଗବଂଶୀୟ ଏହି ଶ୍ରେଷ୍ଠ ସମ୍ରାଟଙ୍କ ସିଂହାସନ ଆରୋହଣ ୧୦୭୮ ଖ୍ରୀଷ୍ଟାବ୍ଦ ଫେବୃଆରୀ ମାସ ୧୭ ତାରିଖରେ ହୋଇଥିଲା। ମାତ୍ର ପାଞ୍ଚବର୍ଷରୁ ଅଳ୍ପ କିଛି ଅଧିକ ଆୟୁରେ ଗଙ୍ଗ ସିଂହାସନରେ ବସିଥିବା ଚୋଡଗଙ୍ଗଙ୍କ ପାଇଁ ରାଜତ୍ବର ପ୍ରଥମାର୍ଦ୍ଧ ଥିଲା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ। ତେବେ ମାତୁଳ ଚୋଳ ରାଜକୁମାର ବୀରଚୋଡ଼ଙ୍କ ତତ୍ତ୍ୱାବଧାନରେ ଚୋଡଗଙ୍ଗ ସକଳ ବାଧାବିଘ୍ନ ଅତିକ୍ରମ କରି ବିରାଟ ଗଙ୍ଗ ସାମ୍ରାଜ୍ୟ ସ୍ଥାପନ କରିପାରିଥିଲେ ଯାହା ଉତ୍ତରରେ ଗଙ୍ଗାନଦୀ ଠାରୁ ଆରମ୍ଭ ହୋଇ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇପାରିଥିଲା। ସମଗ୍ର କଳିଙ୍ଗ-ଉତ୍କଳ ଅଞ୍ଚଳକୁ ଏକୀଭୁତ କରି ଏକ ମହାନ ଗଙ୍ଗସାମ୍ରାଜ୍ୟର ଏପରି ଦୃଢ଼ ମୂଳଦୁଆ ସ୍ଥାପିତ ହୋଇଥିଲା ଯାହା ପରବର୍ତ୍ତୀ ଚାରି ଶତାବ୍ଦୀ ପର୍ଯ୍ୟନ୍ତ ବୀରତ୍ବ, କଳା ଓ ଭାସ୍କର୍ଯ୍ୟ କ୍ଷେତ୍ରରେ ଚରମ ଉତ୍କର୍ଷତା ଲାଭ କରିଥିଲା। ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜୀର୍ଣ୍ଣ ମନ୍ଦିରର ପୁନରୁଦ୍ଧାର କରି ସେ ଅଧୁନାର ଭବ୍ୟ ଶ୍ରୀମନ୍ଦିର ଗଢାଇ ଅକ୍ଷର କୀର୍ତ୍ତି ରଚିଯାଇଛନ୍ତି।

ପୁରୀସ୍ଥିତ ଚୁଡଙ୍ଗସାହିର ବଡୁ ମହାପାତ୍ର ଜାଗା ସହିତ ଚୋଡଗଙ୍ଗ ଦେବଙ୍କର ଥିଲା ଅତି ନିବିଡ଼ ସମ୍ପର୍କ। କଥିତ ଅଛି ଚୋଡଗଙ୍ଗ ନିଜେ ଜଣେ ବିଶିଷ୍ଟ କୁସ୍ତିଯୋଦ୍ଧା ଥିଲେ। ପୁରୀ ସହର ତଥା ଶ୍ରୀ ଜଗନ୍ନାଥ ମନ୍ଦିରକୁ ବାହ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ସେ ପୁରୀ ସହରରେ ଅନେକ ଜାଗାଘରମାନ ପ୍ରତିଷ୍ଠା କରାଇଥିଲେ। ଏଠାରେ ସ୍ଥାନୀୟ ଯୁବକ ସବୁ ମଲ୍ଲଯୁଦ୍ଧ ଓ କୁସ୍ତି ଅଭ୍ୟାସ କରୁଥିଲେ। ଆବଶ୍ୟକ ପଡ଼ିଲେ ସେନାବାହିନୀ ପାଇଁ ଯୁଦ୍ଧରେ ଯୋଗଦାନ କରୁଥିଲେ। ନିଜେ ମହାରାଜ ଚୋଡଗଙ୍ଗ ମଧ୍ୟ ବଡୁ ମହାପାତ୍ର ଜାଗାକୁ ମଲ୍ଲଯୁଦ୍ଧ ଓ କୁସ୍ତି କସରତ କରିବାକୁ ନିୟମିତ ଆସୁଥିଲେ ବୋଲି କିମ୍ବଦନ୍ତୀ କୁହେ। ସେସବୁ ସ୍ମୃତିର ଚିହ୍ନ ସ୍ୱରୂପ ଆଜି ମଧ୍ୟ ଏଠାରେ ଚୋଡଗଙ୍ଗଙ୍କ ପ୍ରତିମାକୁ ବଡୁ ମହାପାତ୍ର ଜାଗାର ସଦସ୍ୟମାନେ ଶ୍ରଦ୍ଧା ଓ ସମ୍ମାନର ସହ ପୂଜା କରନ୍ତି।

ଏହି ଉତ୍ସବକୁ ସଞ୍ଚାଳନ କରୁଥିବା ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପର ପ୍ରତିଷ୍ଠାତା ସଦସ୍ୟ ତଥା ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଥିଲେ ଯେ, ଅନନ୍ତବର୍ମନ ଚୋଡଗଙ୍ଗ ଦେବ ହେଉଛନ୍ତି ଓଡିଶା ଇତିହାସର ଅନ୍ୟତମ ଶ୍ରେଷ୍ଠ ସମ୍ରାଟ। ଅସୀମ ବୀରତ୍ବର ଅଧିକାରୀ ହେବା ବ୍ୟତିରେକ ସମାଜରେ ଐକ୍ୟ ଭାବ ପ୍ରତିଷ୍ଠା ପାଇଁ ବିଭିନ୍ନ ଧାର୍ମିକ ବିଚାରଧାରାକୁ ସମ୍ମାନ ଦେବା ତାଙ୍କ ମହନୀୟତାର ପରିଚାୟକ। ଜୀବନର ପ୍ରାରମ୍ଭ କାଳରେ ସେ ଶୈବଧର୍ମ ପ୍ରତି ଅଧିକ ଆନୁଗତ୍ୟ ଥିଲେ ମଧ୍ୟ ପୁରୀରେ ଶ୍ରୀଜଗନ୍ନାଥଙ୍କ ବିଶାଳ ବୈଷ୍ଣବ ମନ୍ଦିର ପ୍ରତିଷ୍ଠା କରି ସେ ଏ ଅଞ୍ଚଳର ଅଧିବାସୀଙ୍କ ପ୍ରିୟଭାଜନ ହୋଇପାରିଥିଲେ। ତାଙ୍କ ପୌତ୍ର ଦ୍ଵିତୀୟ ରାଜରାଜ ଦେବଙ୍କର ଦାଶଗୋବା ତାମ୍ରଶାସନରୁ ସ୍ପଷ୍ଟ ପ୍ରମାଣ ମିଳେ ଯେ ଗଙ୍ଗେଶ୍ୱର ଚୋଡଗଙ୍ଗ ହିଁ ଆକାଶକୁ ସ୍ପର୍ଶ କରୁଥିବା ମହାନ ଶ୍ରୀମନ୍ଦିରର ନିର୍ମାତା ଥିଲେ। ବଡୁ ମହାପାତ୍ର ଜାଗାର ସମ୍ପାଦକ ଶ୍ରୀ ରାକେଶ କୁମାର ପାତ୍ର କହିଥିଲେ ଯେ, ଏପରି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଇ ଆମେ ଗର୍ବୀତ, ଏହା ଯୁବପୀଢ଼ି ମଧ୍ୟରେ ଇତିହାସ ଓ ଐତିହ୍ୟକୁ ଜାଣିବାକୁ ପ୍ରେରଣା ଯୋଗାଇବ। ପ୍ରତିବର୍ଷ ଫେବୃୟାରୀ ୧୭ ତାରିଖରେ ଆମ ଜାଗାରେ ଏହି ରାଜ୍ୟାଭିଷେକ ଉତ୍ସବ ପାଳନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଉତ୍ସବକୁ ନିମନ୍ତ୍ରିତ ଅତିଥି ଭାବେ ଆସିଥିବା ଇନଟାକ ଓଡ଼ିଶାର ପ୍ରକଳ୍ପ ସଂଯୋଜକ ତଥା ବିଶିଷ୍ଟ ଐତିହାସିକ ଅନୀଲ ଧିର ପୁରୀ ସହରରେ ଚୋଡଗଙ୍ଗ ଦେବଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏତଦ ବ୍ୟତୀତ ଖାରବେଳ, ନରସିଂହ ଦେବ, କପିଳେନ୍ଦ୍ର ଦେବଙ୍କ ପରି ମହାନ ଓଡ଼ିଆ ସମ୍ରାଟମାନଙ୍କ ଜନ୍ମଦିବସ ବା ରାଜ୍ୟାଭିଷେକ ଦିବସ ସବୁକୁ ପ୍ରତି ଜିଲ୍ଲାସ୍ତରରେ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଇନଟାକର ବରିଷ୍ଠ ସଦସ୍ୟ ବିଶ୍ୱଜିତ ମହାନ୍ତି, କହିଥିଲେ ଯେ ଇତିହାସ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ପାଇଁ ସ୍କୁଲ ପାଠ୍ୟ ଖସଡ଼ାରେ ପରିବର୍ତ୍ତନର ଆବଶ୍ୟକ ରହୁଛି। ଚୋଡଗଙ୍ଗଙ୍କ ପରି ମହାନ ବ୍ୟକ୍ତିତ୍ବଙ୍କ ସମ୍ପର୍କରେ ଇତିହାସ ପୁସ୍ତକରେ ଅଧିକ ତଥ୍ୟ ପ୍ରଦାନ କରିବା ଉଚିତ, ଯେତିକି ତଥ୍ୟ ବର୍ତ୍ତମାନର ପାଠ୍ୟ ପୁସ୍ତକ ସବୁରୁ ଛାତ୍ରଛାତ୍ରୀମାନେ ପଢ଼ୁଛନ୍ତି, ତାହା ଯଥେଷ୍ଟ ନୁହେଁ। ଏହି ଅବସରରେ ପୁରୀରେ ଚୋଡଗଙ୍ଗ ଦେବଙ୍କର ବିଶାଳ ପ୍ରତିମୂର୍ତ୍ତି ସ୍ଥାପନା ହେବାପାଇଁ ଦାବି କରିବା ସହିତ ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପ ତରଫରୁ ଚିତ୍ରଶିଳ୍ପୀ ବିଭୁ ପଟ୍ଟନାୟକଙ୍କ ଦ୍ଵାରା ଅଙ୍କିତ ଚୋଡଗଙ୍ଗ ଦେବଙ୍କର ଚିତ୍ରର ଏକ ଫୋଟୋ-ଫ୍ରେମ ବଡୁ ମହାପାତ୍ର ଜାଗାକୁ ପ୍ରଦାନ କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply