Home / ମୁଖ୍ୟ ଖବର / ଜିଲ୍ଲା ସ୍ତରୀୟ କବି ଜୟଦେବ ଜୟନ୍ତୀ ସମାରୋହ ଅନୁଷ୍ଠିତ।

ଜିଲ୍ଲା ସ୍ତରୀୟ କବି ଜୟଦେବ ଜୟନ୍ତୀ ସମାରୋହ ଅନୁଷ୍ଠିତ।

ପୁରୀ ୨୫/୪ ଜିଲ୍ଲା ସ୍ତରୀୟ କବି ଜୟଦେବ ଜୟନ୍ତୀ ସମାରୋହ ଆଜି ସଂଧ୍ୟାରେ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟ ଏବଂ ଶ୍ରୀ ଜୟଦେବ ଫାଉଣ୍ଡେସନ ସୌଜନ୍ୟରେ ଏହା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଜୟଦେବ ଫାଉଣ୍ଡେସନର ସଂପାଦକ ପ୍ରଫୁଲ୍ଲ ତ୍ରିପାଠୀ କବି ଜୟଦେବଙ୍କ ଅନନ୍ୟ କୃତି ସମ୍ପର୍କରେ ସୂଚନା ଦେଇ ସମସ୍ତ ମନ୍ଦିର ରେ ଗୀତଗୋବିନ୍ଦ ପରିବେଷଣ କରାଯାଇଥାଏ ବୋଲି କହିଥିଲେ।ପ୍ରେମ ଓ ଭକ୍ତି ରସର ଅନବଦ୍ୟ ସୃଷ୍ଟି ଗୀତଗୋବିନ୍ଦ ଅତ୍ୟନ୍ତ ସରଳ ଓ ସାବଲୀଳ ଶବ୍ଦର ସମାହାର।ଏହାର ମାଧୁର୍ଯ୍ୟ,ପବିତ୍ରତା ଓ ଚମତ୍କାରିତା ଯୁଗ ଯୁଗ ପାଇଁ ଅମର ହୋଇ ରହିଥିବ ବୋଲି କହିଥିଲେ।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଜୟଦେବ ଓ ଗୀତଗୋବିନ୍ଦ ଚିର ଅମର ବୋଲି କହିଥିଲେ।ଶ୍ରୀ ଜଗନ୍ନାଥ ଓ ଗୀତଗୋବିନ୍ଦ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।ପ୍ରଭୁ ଙ୍କୁ ଗୀତଗୋବିନ୍ଦ ଏତେ ପ୍ରିୟ ଯେ ଶୟନ ପୂର୍ବରୁ ପ୍ରଭୁ ଏହାକୁ ଶ୍ରବଣ କରି ହିଁ ଶୁଅନ୍ତି ।ଅକ୍ଷୟ ତୃତୀୟା ରେ ଜନ୍ମି ଥିବା ଜୟଦେବଙ୍କ କୀର୍ତ୍ତି ଅକ୍ଷୟ ଓ ଅକ୍ଷତ ବୋଲି ସେ ମତ ଦେଇଥିଲେ।ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ , ସାହିତ୍ୟିକ ଅସୀତ ମହାନ୍ତି, ପୂର୍ବତନ ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ସାମନ୍ତରାୟ,ଜୟଦେବ ଫାଉଣ୍ଡେସନ ର ସଦସ୍ୟ ଚକ୍ରଧର ମହାପାତ୍ର ପ୍ରମୁଖ ଶ୍ରୀଜଗନ୍ନାଥ, ଜୟଦେବ, ଗୀତଗୋବିନ୍ଦ ସମ୍ପର୍କରେ ଆଲୋକପାତ କରିବା ସହ ଜୟଦେବଙ୍କ ଜୟନ୍ତୀ ଆଜି ଏକ ଜାଗରଣରେ ପରିଣତ ହୋଇଛି ବୋଲି କହିଥିଲେ।ଏକ ସମୟରେ ଜୟଦେବ ଓଡ଼ିଶାର ନୁହଁନ୍ତି ବୋଲି ପ୍ରମାଣ କରିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ପ୍ରାମାଣିକତା ଓ ତଥ୍ୟ ଆଧାରରେ ଆଜି ଜୟଦେବ ହିଁ ଓଡ଼ିଶାର ବୋଲି ଦୃଢ ପ୍ରମାଣିତ ହୋଇଛି ବୋଲି କହିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ସମସ୍ତଙ୍କୁ ସ୍ୱାଗତ କରିବା ସହ ସମାରୋହର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଶେଷରେ ଫାଉଣ୍ଡେସନ ସଦସ୍ୟ ଜଟାଧାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply