ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲାରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ବୁଧବାର ଶେଷ ସୁଯୋଗ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଅଗଷ୍ଟ ୧ ରେ ମାମଲାର ଚୁଡାନ୍ତ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ତ୍ୱରିତ ଶୁଣାଣି ପାଇଁ ସରକାରୀ ଓକିଲଙ୍କ ଅନୁରୋଧକୁ ହାଇ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଏସ . ମୁରଲୀଧର ଏବଂ ଜଷ୍ଟିସ ଗୌରୀଶଙ୍କର ଶତପଥିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା। କୋର୍ଟଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟ ସରକାର ତାଙ୍କ ସଂଶୋଧିତ ମିସ୍ କେସରେ ଜବାବ ଦାଖଲ କରୁନଥିବା ଆବେଦନକାରୀ ଜଗନ୍ନାଥ ବସ୍ତିଆ ଅଭିଯୋଗ କରିଥିଲେ। ସେ କହିଲେ ବିଜେପି ମୁଖପାତ୍ର ଡଃ ସମ୍ବିତ ପାତ୍ର ଏବଂ ତାଙ୍କ ଦ୍ଵାରା ରୁଜୁ ହୋଇଥିବା ମୋକଦ୍ଧମାର ଅଭିଯୋଗ ଏବଂ ପ୍ରାର୍ଥନା ସମ୍ପୂର୍ଣ୍ଣ ଭିନ୍ନ। ବଗଲା ଧର୍ମଶାଳା ଜମି ବିକ୍ରି ସମ୍ପର୍କୀତ ସମସ୍ତ ତଥ୍ୟ ସଂଶୋଧିତ ଦରଖାସ୍ତରେ ସେ ଉଲ୍ଲେଖ କରିଛନ୍ତି ତେଣୁ ଚୁଡାନ୍ତ ଶୁଣାଣି ପୂର୍ବରୁ ରାଜ୍ୟ ସରକାର ଜବାବ ଦାଖଲ କରିବାକୁ ସେ ଅନୁରୋଧ କରିଥିଲେ। ସରକାରୀ ଓକିଲ ଦେବକାନ୍ତ ମହାନ୍ତି କହିଲେ ସମ୍ବିତ ପାତ୍ରଙ୍କ ମାମଲାରେ ଜବାବ ଦାଖଲ କରାଯାଇଛି। ଦୁଇଟିଯାକ ମାମଲା ପାଇଁ ତାହା ଗ୍ରହଣୀୟ ହେବ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଶ୍ରୀ ବସ୍ତିଆଙ୍କ ସଂଶୋଧିତ ଦରଖାସ୍ତ ଉପରେ ପୃଥକ୍ ଜବାବ ଦାଖଲ କରିବାକୁ ହାଇକୋର୍ଟ ସରକାରଙ୍କୁ ଶେଷ ସୁଯୋଗ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଜବାବ ଦାଖଲ ପରେ ପ୍ରତି ଜବାବ ଦାଖଲ ପାଇଁ କୋର୍ଟ ଶ୍ରୀ ବସ୍ତିଆଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡଃ ପାତ୍ରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ପିତାମ୍ବର ଆଚାର୍ଯ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବତନ ଆଡଭୋକେଟ୍ ଜେନେରାଲ ସୂର୍ଯ୍ୟକାନ୍ତ ପାଢ଼ୀ ଉପସ୍ଥିତ ଥିଲେ।
Social Icons
Featured Posts











