କାକଟପୁର ତା ,୨୮।୬: ଅସ୍ତରଙ୍ଗ ଉପକୂଳରେ ତିନି ଦିନ ହେଲା ମୌସିମୀ ବର୍ଷା ଲାଗିରହିଛି । ବର୍ଷାର ପରିମାଣ କମ୍ ହେଲେ ମଧ୍ୟ ଗତ କିଛିଦିନ ଧରି ତତଲା କଡ଼େଇରେ ସିଝୁଥିବା ଉପକୂଳର ଜନ ଜୀବନ ଆଶ୍ୱସ୍ତି ଅନୁଭବ କରୁଛି । ବୃକ୍ଷଲତା, ପଶୁ ପକ୍ଷୀ ସମେତ ସମଗ୍ର ପରିବେଶକୁ ଶାନ୍ତି ମିଳିଛି। ବର୍ଷା ହେବାରୁ ଲୋକେ ନିଜ ବାଡି ବଗିଚାରେ କଦଳୀ,ନଡିଆ,ଗୁଆ ଚାରା ଲଗାଇବା ଓ ବାଡିବଗିଚାରେ ବର୍ଷାଦିନିଆ ପନିପରିବା ଚାଷ ପାଇଁ ଲାଗିଛନ୍ତି । ସେହିପରି ଅସରାଏ ଦି ଅସରା ବର୍ଷା ହୋଇ ବିଲ ଗହୀର ମାଟି ଓଦା ହେବାରୁ ଚାଷୀ ଚାଷ କାର୍ଯ୍ୟ ପାଇଁ ସଜବାଜ ହେଉଛି । ତଳି ଘେରା ପ୍ରସ୍ତୁତି କରିବା ସମେତ ଖାଲୁଆ ବିଲରେ ଖରୁଡି ବୁଣିବାକୁ ଉଦ୍ୟମ କରିଛି । କେହି କେହି ରଜ ପୂର୍ବରୁ ବା ପରେ ମଧ୍ୟ ଏସବୁ ବିଲରେ ବିହନ ବୁଣିଦେଇଥିବାରୁ ଏବେ ବର୍ଷା ପରେ ତାହା ଗଛ ହୋଇଯିବ ଜାଣି ଖୁସିହେଉଛି । ଚଷା ପୁଅ ପୂର୍ବରୁ ସାଇତି ରଖିଥିବା ବିହନକୁ ତଳି ପକାଉଥିଲା ବେଳେ ଅଧିକାଂଶ ଚାଷୀ ବାହାରୁ ଉନ୍ନତ ସହଳ କିସମର ଭଲ ଅମଳ ପ୍ରଦାନ କରୁଥିବା ବିହନ କିଣିବା ଦେଖିବାକୁ ମିଳିଛି ।ପ୍ରତିକୂଳ ଜଳବାୟୁ ପ୍ରତିବର୍ଷ ଚାଷୀ ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଥିବା ବେଳେ ଚଳିତ ବର୍ଷ ଖରିଫ୍ ଚାଷ କାର୍ଯ୍ୟ ପାଇଁ ରିହାତି ଦରରେ ଭଲ ଅମଳକ୍ଷେମ ଉନ୍ନତ ବିହନ,ସାର,ଔଷଧ,କୃଷି ଋଣ ଯୋଗାଇ ଦେବାକୁ ଦାବି ହୋଇଛି ।
Social Icons
Featured Posts











