Home / ଶୋକ / ଏବେ ଆରପାରିରେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି।

ଏବେ ଆରପାରିରେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି।

uttam

ଏବେ ଆରପାରିରେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି। ଉତ୍ତମଙ୍କୁ ଭଲ ପାଉଥିବା ଓଡ଼ିଶାର ପ୍ରତିଟି ଦର୍ଶକ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଉତ୍ତମଙ୍କ ବିୟୋଗରେ ସାରା କଳା ଜଗତ ତଥା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଅଭିନୟର ନିଖୁଣ ଯାଦୁଗରୀରେ ସେ ଆଜି ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖି ପାରିଥିଲେ। ଆଜି ତାଙ୍କ ବିୟୋଗକୁ ନେଇ ସାରା ଓଡ଼ିଶା ସ୍ତବ୍ଧ।

ଗତ ଫେବୃୟାରୀ ୬ ତାରିଖରେ ଉତ୍ତମଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍‌ସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ । କିନ୍ତୁ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ‌ସେଠାରେ ତାଙ୍କର ଲିଭର ସିରୋସିସ୍‌ ସହ ନିମୋନିଆର ଚିକିତ୍ସା ଚାଲିଥିଲା। ଦୀର୍ଘ ୨୦ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆଜି ୬୭ ବର୍ଷ ବୟସରେ ଏହି ଦୁନିଆରୁ ବିଦାୟ ନେଇଛନ୍ତି ଉତ୍ତମ ମହାନ୍ତି।

ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଆଜି ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ଉତ୍ତମଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ବିୟୋଗ କଳାକାର ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। କଳାକାର ଜଗତର ବିଶିଷ୍ଟ ଅଭିନେତା ଅଭିନେତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଏହାରି ମଧ୍ୟରେ ଦିଲ୍ଲୀରୁ ତାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ବୋଲି ଉତ୍ତମଙ୍କ ପାରିବାରିକ ବନ୍ଧୁ ତଥା ପ୍ରଯୋଜକ ରବି ମିଶ୍ର ସୂଚନା ଦେଇଛନ୍ତି। ତାଙ୍କ ପାର୍ଥିବ ଶରୀର ସହିତ ପୁଅ ବାବୁଶାନ ଓ ବୋହୁ ତୃପ୍ତି ଅଛନ୍ତି । ତାଙ୍କର ଶେଷ ଦର୍ଶନ ପାଇଁ ଭୁବନେଶ୍ୱର ସ୍ଥିତ ବାସଭବନରେ ଆସି ପହଁଚିଛନ୍ତି ବିଶିଷ୍ଟ ବ୍ୟକ୍ତିଗଣ । ସତ୍ୟନଗର ସ୍ଥିତ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY