ଭୁବନେଶ୍ୱର: ୧୧/୮/୨୦୨୫ – ତୃପ୍ତିମୟୀ ଜେନା -ଆନ୍ତଃରାଜ୍ୟ ସଂଯୋଗୀକରଣକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ଭାରତୀୟ ରେଳବାଇ ଟ୍ରେନ୍ ନମ୍ବର 20472/20471 ପୁରୀ-ଲାଲଗଡ଼-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ୧୩ ଅଗଷ୍ଟ ୨୦୨୫ ଠାରୁ ପୁରୀ ରୁ ଶ୍ରୀ ଗଙ୍ଗାନଗର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି । ଏହି ଐତିହାସିକ ସମ୍ପ୍ରସାରଣ ବଙ୍ଗୋପସାଗରକୁ ଥର ମରୁଭୂମି ସହିତ ସୁଗମ ଭାବରେ ସଂଯୋଗ କରିବ, ଯାହା ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶା ଏବଂ ଉତ୍ତର-ପଶ୍ଚିମ ରାଜ୍ୟ ରାଜସ୍ଥାନ ମଧ୍ୟରେ ସାଂସ୍କୃତିକ ଏବଂ ଅର୍ଥନୈତିକ ସମ୍ପର୍କକୁ ଦୃଢ଼ କରିବ । ମାନ୍ୟବର ସାଂସଦ ଶ୍ରୀ ସମ୍ବିତ ପାତ୍ର ୧୩ ଅଗଷ୍ଟ ୨୦୨୫ ତାରିଖ (ବୁଧବାର) ଦିନ ପୁରୀ ରେଳ ଷ୍ଟେସନରେ ମାନ୍ୟବର ବିଧାୟକ ଶ୍ରୀ ସୁନୀଲ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଏହି ଟ୍ରେନର ସମ୍ପ୍ରସାରଣକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ସମାରୋହରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠୀ ମଧ୍ୟ ଯୋଗଦେବେ । ଆଞ୍ଚଳିକ ସଂଯୋଗ ଏବଂ ଯାତ୍ରୀ ସୁବିଧା ବୃଦ୍ଧି କରିବାରେ ଏହି ମାର୍ଗରେ ବର୍ଦ୍ଧିତ ଚାହିଦା ଉପରେ ଗୁରୁତ୍ୱାରୋପ କରାଯାଉଅଛି ।
ଟ୍ରେନ୍ ସମୟସୂଚୀ ଏବଂ ସଂଯୋଗ:
- ପୁରୀ ଏବଂ ଲାଲଗଡ଼ ମଧ୍ୟରେ ଉଭୟ ପାର୍ଶ୍ୱରୁ ସ୍ଥିରୀକୃତ ଷ୍ଟେସନ ଠାରେ ରହଣି ସମୟ ଅପରିବର୍ତ୍ତିତ ରହିବ।
- ଲାଲଗଡ଼ରୁ ଶ୍ରୀ ଗଙ୍ଗାନଗର ପର୍ଯ୍ୟନ୍ତ ସମ୍ପ୍ରସାରିତ ମାର୍ଗ ବର୍ତ୍ତମାନ ସମୟସୂଚୀରେ ସାମିଲ ହୋଇଛି ।
- ଏହି ସମ୍ପ୍ରସାରଣ ପୂର୍ବ ଏବଂ ଉତ୍ତର-ପଶ୍ଚିମ ଭାରତ ମଧ୍ୟରେ ସିଧାସଳଖ ରେଳ ସଂଯୋଗ ପ୍ରଦାନ କରିବ ଯାହା ତୀର୍ଥଯାତ୍ରୀ, ପର୍ଯ୍ୟଟକ ଏବଂ ବ୍ୟବସାୟିକ ଯାତ୍ରୀମାନଙ୍କୁ ଯଥେଷ୍ଟ ଲାଭ ପହଞ୍ଚାଇବ ।
ପ୍ରମୁଖ ବିଷୟବସ୍ତୁ:
- ନୂତନ ଟର୍ମିନାଲ ଷ୍ଟେସନ ଯୋଡାଗଲା: ଶ୍ରୀ ଗଙ୍ଗାନଗର, ରାଜସ୍ଥାନ ।
- ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଉନ୍ନତ ପ୍ରବେଶଯୋଗ୍ୟତା: ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ।
- ଭୌଗୋଳିକ ଏବଂ ସାଂସ୍କୃତିକ ଭାବରେ ବିବିଧ ଅଞ୍ଚଳ ମଧ୍ୟରେ ସାଂସ୍କୃତିକ ଏକୀକରଣକୁ ସୁଦୃଢ଼ କରାଯାଇଛି ।
ପୁରୀରୁ ଛାଡୁଥିବା ଏହି ଟ୍ରେନ ଲାଲଗଡ଼ରେ ରାତ୍ରି ୮ଘ.୩୩ମି.ରେ ପହଞ୍ଚିବା ପରେ ସେଠାରୁ ରାତ୍ରି ୮ଘ.୩୫ମି.ରେ ଛାଡି ଶ୍ରୀ ଗଙ୍ଗାନଗର ଅଭିମୁଖେ ଯାତ୍ରା କରିବ ଏବଂ ସେଠାରେ ରାତ୍ରି ୦୨ ଘ.05 ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ଶ୍ରୀଗଙ୍ଗାନଗରରୁ ଅପରାହ୍ନ ୨ଘ.୧୦ମି.ରେ ଛାଡ଼ିବ ଏବଂ ସନ୍ଧ୍ୟା ୬ ଘ୩୦ .ରେ ଲାଲଗଡ଼ରେ ପହଞ୍ଚିବ ଏବଂ ସେଠାରୁ ସନ୍ଧ୍ୟା ୬ଘ.୩୨ ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ । ଏହି ଟ୍ରେନ୍ ଉଭୟ ପାର୍ଶ୍ୱରୁ ଲାଲଗଡ଼ ଏବଂ ଶ୍ରୀଗଙ୍ଗାନଗର ମଧ୍ୟରେ ଲୁଙ୍କାରଣସର, ସୁରତଗଡ଼, ରାୟ ସିଂହ ନଗର ଏବଂ ଶ୍ରୀକରଣପୁର ଷ୍ଟେସନ ମାନଙ୍କରେ ରହଣି କରିବ। ଏହି ସମ୍ପ୍ରସାରଣ ଉନ୍ନତ ରେଳ ଭିତ୍ତିଭୂମି ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ “ଏକ ଭାରତ, ସଶକ୍ତ ଭାରତ” ଦୃଷ୍ଟିକୋଣ ପ୍ରତି ଭାରତୀୟ ରେଳବାଇର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଅଛି











