କାକଟପୁର ତା ୨୯/୯ ,(ତୁଷାର ଦୀକ୍ଷିତ )ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କର ପୀଠରେ ପବିତ୍ର ମହାଷ୍ଟମୀ ତିଥିରେ ମହିଷାମର୍ଦ୍ଦିନୀ ବେଶ ଅନୁଷ୍ଠିତ ହୋଇଥାଏ l ପ୍ରାତଃରୁ ମା ଙ୍କ ସ୍ନାନ ମାର୍ଜନା ବେଶ ପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ପହୁଡ଼ ଖୋଲିଥିଲା l ଦିବା ୧୧ ଘଟିକା ବେଳକୁ ବଲ୍ଲଭ ଧୂପ, ସକାଳ ଧୂପ, ଦ୍ବିପ୍ରହର ଧୂପ ଓ ଭଅଣ୍ଡ ନୀତି ପରେ ପହୁଡ଼ ପଡିଥିଲା l ପରେ ପରେ ସନ୍ଧ୍ୟାରେ ପହୁଡ଼ ଫିଟାଯାଇ ପୁନଃ ସ୍ନାନ ମାର୍ଜନା କାରାଯାଇ ମା ମଙ୍ଗଳାଙ୍କୁ ପ୍ରସିଦ୍ଧ ମହିଷା ମର୍ଦ୍ଦିନୀ ବେଶରେ ସଜ୍ଜିତ କରାଯାଇଥିଲା l ମୁଣ୍ମୟୀ ମହିଷାସୁର ଓ ସିଂହ କୁ ମା ଙ୍କ ପାଦତଳେ ରଖାଯାଇ ମା ଙ୍କ ତ୍ରିଶୁଳ ମହିଷାସୁରର ବକ୍ଷଭେଦ କରିଥାଏ l ଏହାହିଁ ମା ଙ୍କ ମହିଷାମର୍ଦ୍ଦିନୀ ବେଶ l ବେଶ ସରିବା ପରେମା ଙ୍କ ଚଳନ୍ତି ପ୍ରତିମା ରତ୍ନଗିରି କୁ ବିଜେକରି ମହିଷାସୁର କୁ ଠାବ କରି ଫେରିବା ପରେ ମଙ୍ଗଳା ଓ ଦୁର୍ଗା ଙ୍କୁ ଜଗତି ପୂଜା କରାଯାଇଥିଲା l ମଙ୍ଗଳା ଓ ଦୁର୍ଗା ଗର୍ଭ ଗୃହକୁ ଫେରିବାପରେ ସର୍ବସାଧାରଣ ଙ୍କ ଦର୍ଶନ ନିମନ୍ତେ ପହୁଡ଼ ଖୋଲିଥିଲା l ପରେ ରାତ୍ର ଧୂପ ଓ ବଡ଼ସିଂହାର ନୀତି ପରେ ମନ୍ଦିର ପୁରୋହିତ, ଶୋଡଶ ଉପଚାର ପୂଜାପଣ୍ଡା ଓ ପାଳିଆ ସେବକ ଙ୍କ ଦ୍ୱାରା ସନ୍ଧିପୂଜା, ହୋମଯଜ୍ଞ ଓ କୁସ୍ମାଣ୍ଡ ବଳି ଦିଆଯାଇଥିଲା l ଆଜିର ପୂଜାପଣ୍ଡା ଭାବେ ଶରତ କୁମାର ଦୀକ୍ଷିତ ଦାୟିତ୍ୱ ତୁଲାଇଥିବା ବେଳେ ଷୋଡଶ ଉପଚାର ପୂଜାପଣ୍ଡା ଭାବେ ପ୍ରକାଶ ଚନ୍ଦ୍ର ପଣ୍ଡା ଦାୟିତ୍ୱ ନିର୍ବାହ କରିଥିଲେ
ମା ମଙ୍ଗଳାଙ୍କ ପ୍ରସିଦ୍ଧ ମହିଷା ମର୍ଦ୍ଦିନୀ ବେଶ ଅନୁଷ୍ଠିତ











