ପୁରୀ, ତା: ୦୪-୧୦- ଓଡିଶାର ପୁରାତନ ତଥା ଐତିହ୍ୟ ସମ୍ପନ୍ନ ବିଦ୍ୟାଳୟ ପୁରୀ ଜିଲ୍ଲା ସ୍କୁଲରୁ ୫୦ ବର୍ଷ ତଳେ ୧୯୭୫ ମସିହାରେ ମାଟ୍ରିକ ପାସ୍ କରିଥିବା ଛାତ୍ର ଛାତ୍ରୀମାନେ ଆଜି ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ତାଙ୍କରି ବିଦ୍ୟାଳୟର ମୁକ୍ତ ମଞ୍ଚରେ ମହା ସମାରୋହରେ ପାଳନ କରିଥିଲେ ।

ଆଜି ସକାଳ ଦଶ ଘଟିକାରେ ଉତ୍ସବ ପାଳନର ଅବ୍ୟବହିତ ପୂର୍ବରୁ ସର୍ବ ପ୍ରଥମେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦାନ କରିଥିବା ଚାରି ଜଣ ପ୍ରାକ୍ତନ ଶିକ୍ଷକ ଓ ଅତିଥିମାନେ ମଂଚାସୀନ ହେବା ପରେ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ପରେ ଏହି ବ୍ୟାଚ୍ ର ଯେଉଁ ସହପାଠୀମାନେ ଇତ୍ୟବସରରେ ଇହଲୀଳା ସମ୍ବରଣ କରି ସାରିଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ପରେ ଆମର ପ୍ରାଦେଶିକ ସଂଗୀତ “ବନ୍ଦେ ଉତ୍କଳ ଜନନୀ ” ସମବେତ କଣ୍ଠରେ ଏହି ଛାତ୍ରଛାତ୍ରୀମାନେ ଗାନ କରିଥିଲେ ।

ସ୍ବାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ ପରେ ଉପସ୍ଥିତ ଥିବା ସମ୍ମାନନୀୟ ପ୍ରାକ୍ତନ ଶିକ୍ଷକ ଶ୍ରୀ ଦିବାକର ମିଶ୍ର, ଶ୍ରୀ ସୁଧାକର ମହାପାତ୍ର, ଶ୍ରୀ ଭାବଗ୍ରାହୀ ରାଉତରାୟ ଓ ଶ୍ରୀ ରମେଶ ଚନ୍ଦ୍ର ମହାପାତ୍ରଙ୍କୁ ମାନପତ୍ର, ଟ୍ରଫି ଓ ସାଲ ପ୍ରଦାନ ପୂର୍ବକ ସମ୍ମାନ ଅର୍ପଣ କରା ଯାଇଥିଲା । ଏହି ଶିକ୍ଷକମାନେ ତାଙ୍କର ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବଚନ ପ୍ରଦାନ କରିବା ପରେ ମଂଚାସୀନ ଅତିଥି ଭାବେ ପୁରୀ ବି. ଇ.ଓ. ତଥା ଜିଲ୍ଲା ସ୍କୁଲ ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ଶ୍ରୀ ପ୍ରମୋଦ କୁମାର କର, ସ୍କୁଲର ସମ୍ମାନନୀୟ ଶିକ୍ଷକ ଶ୍ରୀ ବିଦ୍ୟାଧର ମିଶ୍ର ଏବଂ ସ୍କୁଲର ପୁରାତନ ଛାତ୍ର ସଂଘର ଅଧ୍ଯକ୍ଷ ବିଶିଷ୍ଟ ଶିଳ୍ପପତି ଶ୍ରୀ ରାଜ କିଶୋର ପାତ୍ର ମହୋଦୟ ସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା ।
ଏହା ପରେ ଓଡିଶୀ ନୃତ୍ୟରେ ମଙ୍ଗଳାଚରଣ, ଗୀତଗୋବିନ୍ଦ ପରିବେଷଣ ପରେ ପ୍ରାକ୍ତନ ଛାତ୍ରମାନେ ବିଭିନ୍ନ ସଂଗୀତମାନ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ମଧ୍ୟାହ୍ନ ଭୋଜନ ପରେ ଦୂରଦୂରାନ୍ତରୁ ଆସିଥିବା ଏବଂ ଦୀର୍ଘ ଦିନ ପରେ ମିଳିତ ହୋଇଥିବା ସାଙ୍ଗମାନେ ଅତି ଆନନ୍ଦରେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ । ପ୍ରାୟ ସମସ୍ତେ ପରିବାର ସହ ଆସିଥିବାରୁ ଏହି ମିଳନ ପର୍ବ ଅତ୍ୟନ୍ତ ଭାବୋଦ୍ଦୀପକ ହୋଇଥିଲା ।କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଲକ୍ଷ୍ମୀଧର ପୂଜାପଣ୍ଡା।











