ନୟାଗଡ଼,ତା-୮.୧୦.୨୫ରିଖ ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ନନ୍ଦିଘୋର ଗ୍ରାମ ପଞ୍ଚାୟତର ଯାତ୍ରାବରପାଟଣାରେ ଆଶ୍ଵିନ ମାସର ପ୍ରଥମ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ମା’ମଙ୍ଗଳାଙ୍କ ଶାଳ କାଠି ପୂଜାର ଅନ୍ତିମ ଦିବସରେ ଦଶମେଳ ମା’ମଙ୍ଗଳା ଠାକୁରାଣୀଙ୍କୁ ନେଇ ଝାମୁଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ୮ତାରିଖ ବୁଧବାର ଦିନ କାର୍ତ୍ତିକ ମାସ କୃଷ୍ଣପକ୍ଷ ଦ୍ବିତୀୟା ତିଥିରେ ଯାତ୍ରାବରପାଟଣାର ନିମନ୍ତ୍ରଣ କ୍ରମେ ଦଶମେଳ ଠାକୁରାଣୀ ଏକତ୍ରିତ ହୋଇଥିଲେ। ସେମାନେ ହେଲେ ଆୟୋଜିତ ଗ୍ରାମ ଯାତ୍ରାବରପାଟଣା, ଗୌଡପୁଟ, ବଡ଼ପୁଟ, ହରିହରପୁର, ବରସାହି(ନୂଆଗାଁ),ଆରଡା,କୁରାଢିଘଷା, ବାହାଡାପିଠା, ନନ୍ଦିଘୋର ପାଇକସାହି ଓ ନନ୍ଦିଘୋର ନେଳିଆସାହି। ପ୍ରାରମ୍ଭରେ ମା’ଙ୍କ କୋଠିରେ ପୂଜାର୍ଚ୍ଚନା କରାଯିବା ପରେ ଦଶମେଳ ଯାକ ଏକତ୍ରିତ ହୋଇ ପୁଷ୍କରିଣୀରେ ସ୍ନାନ ବିଧି ସମ୍ପନ୍ନ କରିଥିଲେ।

ପୁଷ୍କରିଣୀ ଠାରୁ ଏକ ବିଶାଳ ପଟୁଆର ମଧ୍ୟରେ ବାଜା ବଜାଇ,ବାଣ ଫୁଟାଇ ଗ୍ରାମ ପରିକ୍ରମା କରିବା ପରେ ଝାମୁଯାତ୍ରା ଖଳାକୁ ଅଣାଯାଇଥିଲା। ସେଠାରେ ମା’ଙ୍କ ଷୋଳ କାଠି ପୂଜା ହୋମ ଯଜ୍ଞ ଆଦି ନୈଷ୍ଠିକ ବ୍ରାହ୍ମଣ ସେବକଙ୍କ ଦ୍ବାରା ସମାପନ କରିବା ପରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାତ୍ରାବରପାଟଣା ଗ୍ରାମର କୋଠି ନାହାକଙ୍କ ନିଷ୍ପତ୍ତି କ୍ରମେ ପ୍ରତ୍ୟେକ ଗ୍ରାମରୁ ଦୁଇଜଣ ଲେଖାଁଏ ସର୍ବମୋଟ ୨୦ ଜଣ ମାନସିକଧାରୀ କାଳିସୀ ଅଗ୍ନିକୁଣ୍ଡରେ ଚାଲିଥିଲେ। ବିଶେଷତଃ ଦୀର୍ଘ ଏକ ମାସ ଧରି ନିଷ୍ଠାର ସହିତ ବ୍ରତୀ ଥିବା ମୁଖ୍ୟ କାଳିସୀମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ଦୃଶ୍ୟ ଦେଖିବାପାଇଁ ଆଖପାଖ ଅଞ୍ଚଳର ତଥା ଯାତ୍ରାବରପାଟଣା ଗ୍ରାମର ସମସ୍ତ ବନ୍ଧୁ ବାନ୍ଧବଙ୍କ ସହିତ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। କାର୍ଯ୍ୟକ୍ରମରେ ଯାତ୍ରାବରପାଟଣା ଗ୍ରାମ ମଙ୍ଗଳା କୋଠୀ ନାହାକ ସାଧୁ ଚରଣ ପ୍ରଧାନ, ଦଣ୍ଡପାଣି ସେଠୀ, ଶ୍ରୀନିବାସ ବେହେରା , ପ୍ରକାଶ ବେହେରା ତଥା ଯାତ୍ରା କମିଟିର ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ। ଝାମୁଯାତ୍ରା ଶେଷ ହେବା ପରେ ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ସମୂହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକୁ ଗ୍ରାମର ସଭାପତି ରମାକାନ୍ତ ବାରିକ ଓ ସମ୍ପାଦକ ମନୋରଞ୍ଜନ ବାରିକଙ୍କ ସମେତ ସମସ୍ତ ଗ୍ରାମବାସୀ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ।











