Home / ମୁଖ୍ୟ ଖବର / ଗଡ଼ସାହି ପୋଖରୀ ପ୍ରଦୂଷଣ ମାମଲାରେ ନୂତନ ମୋଡ଼

ଗଡ଼ସାହି ପୋଖରୀ ପ୍ରଦୂଷଣ ମାମଲାରେ ନୂତନ ମୋଡ଼

esrer

ପୁରୀ, ୧୭ ଡିସେମ୍ବର: ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଗଡ଼ସାହି ପଞ୍ଚାୟତ ସମ୍ମୁଖରେ ଅବସ୍ଥିତ ପୋଖରୀର ଗୁରୁତର ପ୍ରଦୂଷଣ ମାମଲାରେ ନୂତନ ମୋଡ଼ ସାମ୍ନାକୁ ଆସିଛି। ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଶାନ୍ତ ସ୍ୱାଇଁଙ୍କ ଚିଠି ପରେ, ୪୮ ଘଣ୍ଟା ପୂରଣ ହେବା ପୂର୍ବରୁ ଓଡ଼ିଶା ରାଜ୍ୟ ପରିବେଶ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି)ର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ଦୂଷିତ ଜଳ ନମୁନା ସଂଗ୍ରହ କରିଛନ୍ତି।

ପରିବେଶ ବୋର୍ଡ ଅଧିକାରୀମାନେ ପଞ୍ଚାୟତ ପୋଖରୀ ଜଳର ଗୁଣବତ୍ତା ପରୀକ୍ଷା ପରେ ଆବଶ୍ୟକ ସଫାଇ ଓ ଶୁଦ୍ଧିକରଣ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି। ଏହାକୁ ଶ୍ରୀ ସ୍ୱାଇଁଙ୍କ ହସ୍ତକ୍ଷେପର ସକାରାତ୍ମକ ପରିଣାମ ଭାବେ ଦେଖାଯାଉଛି।

ତେବେ, ଏହି ସମୟରେ କଣାସ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ସରପଞ୍ଚଙ୍କୁ ନେଇ ତୁରନ୍ତ ତରବରିୟା ଔଷଧ (କୀଟନାଶକ) ସିଞ୍ଚନ କରିବା ପାଇଁ ଆଲୋଚନା କରିବା ଓ ମନଇଚ୍ଛା ଔଷଧ ସିଞ୍ଚନ କରିବା ବିବାଦ କୁ ଅଧିକ ଘନୀଭୂତ କରିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୌତୁହଳ ଓ ବିବାଦ ସୃଷ୍ଟି ହୋଇଛି। ପରିବେଶ ବୋର୍ଡ ପକ୍ଷରୁ ପରୀକ୍ଷା ରିପୋର୍ଟ ଆସିବା ପୂର୍ବରୁ ଏଭଳି ଔଷଧ ସିଞ୍ଚନ କେତେ ଯୁକ୍ତିଯୁକ୍ତ, ସେନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏହା ଦ୍ୱାରା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ସ୍ପଷ୍ଟ ହେଉଛି।

ଶ୍ରୀ ପ୍ରଶାନ୍ତ ସ୍ୱାଇଁ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ ଯେ, ପୋଖରୀର ଜଳ ଏତେ ପ୍ରଦୂଷିତ ହୋଇଯାଇଛି ଯେ ଏହା ଗାଧୋଇବା, କପଡ଼ା ଧୋଇବା ଓ ପଶୁପାଳନ ପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ। ପୋଖରୀରେ ମୃତ ମାଛ ଭାସୁଥିବାରୁ ଭୟଙ୍କର ଦୁର୍ଗନ୍ଧ ସୃଷ୍ଟି ହେଉଛି। ଗଡ଼ସାହି ଓ ଜଙ୍କିଆ ମୌଜାର ଲୋକମାନେ ଏହି ପୋଖରୀ ଉପରେ ନିର୍ଭରଶୀଳ ଥିବାବେଳେ, ପୂର୍ବରୁ ଏହି ଅଞ୍ଚଳରେ ହଇଜା ଭଳି ମହାମାରୀ ଦେଖାଦେଇଥିବାରୁ ଏହା ଆଉ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି ସେ ସତର୍କ କରିଥିଲେ।

ଅନ୍ୟପକ୍ଷରେ, ଜଙ୍କିଆ ଛକରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ଥିବା ବେଳେ ଏହି ମାମଲାକୁ ନେଇ ଶ୍ରୀ ସ୍ୱାଇଁ (ଲୁଲୁ)ଙ୍କ ସଚେତନତା ଓ ତୁରନ୍ତ ପଦକ୍ଷେପକୁ ସ୍ଥାନୀୟ ଲୋକେ ଭୁରିଭୁରି ପ୍ରଶଂସା କରିଛନ୍ତି। ସ୍ଥାନୀୟ ଲୋକେ କହିଛନ୍ତି ଯେ, “ଯଦି ସ୍ୱାଇଁଙ୍କ ଚିଠି ନଥାନ୍ତା, ତେବେ ଏତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇନଥାନ୍ତା।” ଏହି ମାମଲା ବର୍ତ୍ତମାନ ଜଙ୍କିଆ ଛକ ଓ ଆଖପାଖ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି।

ଓଡ଼ିଶା ଜଳ (ପ୍ରଦୂଷଣ ନିୟନ୍ତ୍ରଣ) ଆଇନ–୧୯୭୪ ଅନୁଯାୟୀ, ଏପରି ପ୍ରଦୂଷଣ ମାମଲାରେ ତୁରନ୍ତ ଓ ବୈଜ୍ଞାନିକ ନିରାକରଣ ଆବଶ୍ୟକ। ପରିବେଶ ବୋର୍ଡର ପରୀକ୍ଷା ରିପୋର୍ଟ ଆସିବା ପରେ ଆଗାମୀ କାର୍ଯ୍ୟପଦ୍ଧତି ସ୍ପଷ୍ଟ ହେବ। ଏବେ ସମସ୍ତଙ୍କ ଆଶା—ପୁରୀ ଜିଲ୍ଲା ପ୍ରଶାସନ ଏହି ମାମଲାକୁ ଗୁରୁତ୍ୱ ଦେଇ ସ୍ଥାୟୀ ସମାଧାନ ନେବ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply