କାକଟପୁର ( ତୁଷାର ଦୀକ୍ଷିତ ) 21/12 : ପୁରୀ ଜିଲ୍ଲା କାକଟପୁର ବ୍ଲକର ଅନ୍ୟତମ ପୁରାତନ ଓ ପ୍ରମୁଖ ଶିକ୍ଷାନୁଷ୍ଠାନ ବୀରଭଦ୍ର ନୋଡାଲ ବିଦ୍ୟାପୀଠ ହୀରକ ଜୟନ୍ତୀ ପାଳିବ | ଆଗାମୀ ୨୦୨୬ ଜାନୁଆରୀ ଶେଷ ସପ୍ତାହରେ ଏହି ଗୌରବମୟ ବିଦ୍ୟାଳୟର ଦୁଇଦିନିଆ ହୀରକ ଜୟନ୍ତୀ ସମାରୋହ ମହା ଆଡମ୍ବରରେ ପାଳନ କରାଯିବ | ଏ ନେଇ ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନେଇ ଗଠିତ ସମାରୋହ କମିଟିର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି | ସମାରୋହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି | ଏହି ଉତ୍ସବରେ ସାରା ବ୍ଲକର ସମସ୍ତ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ | ବହୁ ସଫଳ ଛାତ୍ରଛାତ୍ରୀଙ୍କ ଜୀବନ ଓ କ୍ୟାରିୟର ଗଢ଼ିଥିବା ପୁରାତନ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯିବ | ବିଦ୍ୟାଳୟର ଦୁଇଜଣ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି | ଏଥିସହ ବହୁ ଉପାଦେୟ ଲେଖାକୁ ନେଇ ସ୍ମରଣିକା ‘ମହକ-୨’ ଉନ୍ମୋଚନ ହେବ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି |
ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମୁଖ୍ୟ ଅତିଥି କରିବା ପାଇଁ ନିମନ୍ତ୍ରଣ କରାଯାଇଛି | କମିଟିର ଏକ ପ୍ରତିନିଧି ଦଳ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ସାକ୍ଷାତ କରି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି | ଏହି ସମୟରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଉପସ୍ଥିତ ଥିଲେ | ସମାରୋହରେ ସ୍ଥାନୀୟ ସାଂସଦ, ବିଧାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି | ପ୍ରସ୍ତୁତି ବୈଠକରେ ସମାରୋହ କମିଟିର ସଭାପତି ତଥା ପ୍ରଥମ ବ୍ୟାଚ ଛାତ୍ର ଭୋଳାନାଥ ରାଉତ, ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ଶୈଲେନ କୁମାର ପାତ୍ର, ଯୁଗ୍ମ ସମ୍ପାଦକ ଉମାକାନ୍ତ ବାରିକ, ପୁରାତନ ଛାତ୍ର ସଂଘ ସଭାପତି ଭଗବାନ ସାହୁ, ସ୍ମରଣିକା ସମ୍ପାଦକ କୃଷ୍ଣ ନାୟକ, ବେଣୁଧର ପରିଡ଼ା, ଅଶୋକ କୁମାର ପାତ୍ର, ଲକ୍ଷ୍ମୀଧର ସାହୁ, ଅଶୋକ କୁମାର ମହାରଣା, ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଜେନା, ଶିକ୍ଷକ ହୃଷିକେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ | ଏଥିସହ ଯୁବନେତା କୈଳାସ ଚନ୍ଦ୍ର ନାୟକ, ନୃସିଂହ ବେହେରା, ସୁଧୀର କୁମାର ସାହୁ, ମନୋଜ କୁମାର ସାହୁ, ପ୍ରଦୀପ କର, ସମ୍ପଦ କୁମାର ରଥ ଏବଂ ପ୍ରଦୀପ୍ତ କୁମାର ନାୟକ ଯୋଗ ଦେଇଥିଲେ |
ବାଙ୍ଗୁରୀଗାଁ ବୀରଭଦ୍ର ନୋଡାଲ ବିଦ୍ୟାପୀଠର ହୀରକ ଜୟନ୍ତୀ-ସମାରୋହରେ ଯୋଗ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ











