ପୁରୀ: ୧୫ /୧/୨୦୨୬ – ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ଶେଟ୍ଟି ଗୁରୁବାର ଦିନ ନିଜ ପରିବାର ସହିତ ଶ୍ରୀକ୍ଷେତ୍ର ପୁରୀ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ପ୍ରବେଶ ସମୟରେ ସିଂହଦ୍ୱାର ନିକଟରେ ମନ୍ଦିର ପ୍ରଶାସନ ନିର୍ଦ୍ଦିଷ୍ଟ କୌଳିକ ପଣ୍ଡାଙ୍କ ଦ୍ୱାରା ତାଙ୍କୁ ସ୍ୱାଗତ କରାଯାଇଥିଲା।
ମିଳିଥିବା ସୂଚନା ଅନୁସାରେ, ଶିଳ୍ପା ଶେଟ୍ଟି ତାଙ୍କ ମାଆ ସୁନନ୍ଦା ଶେଟ୍ଟିଙ୍କ ସହ ପୁରୀ ଆସିଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେମାନେ ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ଓ ପରମ୍ପରା ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିଲେ।
ମହାପ୍ରଭୁଙ୍କୁ ନିକଟରୁ ଦର୍ଶନ କରି ଶିଳ୍ପା ଗଭୀର ଭକ୍ତିରେ ଲୀନ ହୋଇପଡ଼ିଥିବା ଦେଖାଯାଇଥିଲା। ଦର୍ଶନ କାର୍ଯ୍ୟ ସମୟରେ ସେ ପୂଜାର୍ଚ୍ଚନା କରିବା ସହ ଖେଚେଡ଼ି ଭୋଗ ଓ ଶ୍ରୀମନ୍ଦିରର ପବିତ୍ର ପତାକା ଗ୍ରହଣ କରିଥିବା କୌଳିକ ପଣ୍ଡା ସୂଚନା ଦେଇଛନ୍ତି।
ଶିଳ୍ପାଙ୍କ ଆଗମନ ଖବର ପାଇଁ ଶ୍ରୀମନ୍ଦିର ବାହାରେ ତାଙ୍କ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ତେବେ ପୋଲିସ ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ପାଇଁ ଉଚିତ୍ ବ୍ୟବସ୍ଥା କରାଯାଇଥିଲା। ଦର୍ଶନ ସାରି ବାହାରୁଥିବା ସମୟରେ ଶିଳ୍ପା ହାତ ଯୋଡ଼ି ଉପସ୍ଥିତ ଲୋକମାନେ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଭିବାଦନ ଜଣାଇଥିଲେ।
ପ୍ରାୟ ଏକ ଘଣ୍ଟା ସମୟ ଧରି ଶିଳ୍ପା ଓ ତାଙ୍କ ମାଆ ଶ୍ରୀମନ୍ଦିରରେ ରହି ଦର୍ଶନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଶିଳ୍ପା ଶେଟ୍ଟି ପୂର୍ବରୁ ମଧ୍ୟ ଅନେକଥର ଓଡ଼ିଶା ଆସିଥିଲେ, କିନ୍ତୁ ଏଥର ମହାପ୍ରଭୁଙ୍କ ଦର୍ଶନକୁ ନେଇ ତାଙ୍କ ଗସ୍ତ ବିଶେଷ ଚର୍ଚ୍ଚାରେ ରହିଛି। ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡ଼ିଶା ଆସିଥିବା ସମୟରେ ସେ ଶ୍ରୀକ୍ଷେତ୍ରକୁ ସମୟ ବାହାର କରି ଆସିଥିବା ଜଣାପଡ଼ିଛି।











