Home / ମୁଖ୍ୟ ଖବର / ଓଡ଼ିଆ ଐତିହ୍ୟର ମହୋତ୍ସବ: ସାକ୍ଷୀଗୋପାଳରେ ଦଶମ ସତ୍ୟବାଦୀ ମହୋତ୍ସବ ଉଦଘାଟିତ

ଓଡ଼ିଆ ଐତିହ୍ୟର ମହୋତ୍ସବ: ସାକ୍ଷୀଗୋପାଳରେ ଦଶମ ସତ୍ୟବାଦୀ ମହୋତ୍ସବ ଉଦଘାଟିତ

whatsapp image 2026 02 05 at 11.06.52 pm

ସାକ୍ଷୀଗୋପାଳ: ୫/୨/୨୦୨୬ – (ଶାଶ୍ଵତ ଟିଭି )ସାକ୍ଷୀଗୋପାଳରେ ଓଡ଼ିଆ ଐତିହ୍ୟ ଓ ସଂସ୍କୃତିର ମହାଉତ୍ସବ ଭାବେ ପରିଚିତ ଦଶମ ସତ୍ୟବାଦୀ ମହୋତ୍ସବ ଗୁରୁବାର ସଂଧ୍ୟାରେ ମର୍ଯ୍ୟାଦାପୂର୍ଣ୍ଣ ଅତିଥିମାନଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ, ପଣ୍ଡିତ ନୀଳକଣ୍ଠ ଦାସ ଓ ଆଚାର୍ଯ୍ୟ ହରିହର ଦାସଙ୍କ ଜନ୍ମପୀଠ ଶ୍ରୀରାମଚନ୍ଦ୍ରପୁର, ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମପୀଠ ବାଣପୁର ଅନ୍ତର୍ଗତ ଶ୍ରୀନିବାସପୁର ଏବଂ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଜନ୍ମପୀଠ ବୀରପ୍ରତାପପୁର ଗ୍ରାମରୁ ପଞ୍ଚମହାପୁରୁଷଙ୍କ ପବିତ୍ର ଜ୍ୟୋତି ସଂଗ୍ରହ କରାଯାଇ ସାକ୍ଷୀଗୋପାଳ ବସ୍‌ଷ୍ଟାଣ୍ଡ ନିକଟସ୍ଥ ପଞ୍ଚସଖା ସ୍ମୃତିମଣ୍ଡପରେ ଜ୍ୟୋତି ମିଳନ କରାଯାଇଥିଲା।

ଏହା ପରେ ସତ୍ୟବାଦୀ ମହୋତ୍ସବ କମିଟି ପକ୍ଷରୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ସାକ୍ଷୀଗୋପାଳ ବସ୍‌ଷ୍ଟାଣ୍ଡଠାରୁ ଆରମ୍ଭ ହୋଇ ସାକ୍ଷୀଗୋପାଳ ବଜାର ଦେଇ ବକୁଳବନ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ପହଞ୍ଚିଥିଲା। ଶୋଭାଯାତ୍ରାରେ ଓଡ଼ିଶୀ ସଂକୀର୍ତ୍ତନ, ଘୋଡ଼ାନାଚ, ପାଇକ ଆଖଡ଼ା, ଶବର ଶବରୁଣି, ବୁଢ଼ା–ବୁଢ଼ୀ, ମାଙ୍କଡ଼ ନାଚ, କଣ୍ଢେଇ ନାଚ, ଦୁର୍ଗାମେଢ଼, ଶିବତାଣ୍ଡବ ନୃତ୍ୟ ସହ ବିଭିନ୍ନ ବାଦ୍ୟଦଳ ଭାଗ ନେଇଥିଲେ। ରାସ୍ତାର ଦୁଇପାର୍ଶ୍ୱରେ ହଜାର ହଜାର ଲୋକେ ଶୋଭାଯାତ୍ରାକୁ ଦେଖି ସ୍ୱାଗତ କରିଥିଲେ।

whatsapp image 2026 02 06 at 9.40.36 am
whatsapp image 2026 02 06 at 9.40.36 am

ସତ୍ୟବାଦୀ ମହୋତ୍ସବ କମିଟିର ସଭାପତି ତଥା ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର ସାକ୍ଷୀଗୋପାଳ ମନ୍ଦିରରେ ସାକ୍ଷୀ ଗୋପୀନାଥ ଠାକୁରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପରେ ଆଜ୍ଞାମାଳ ଆଣିଥିଲେ। ମନ୍ଦିର ସେବାୟତ ତଥା ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଉପସ୍ଥିତିରେ ଆଜ୍ଞାମାଳ ମଣ୍ଡପରେ ସ୍ଥାପନ କରାଯାଇ ପଞ୍ଚଜ୍ୟୋତିକୁ ଭବ୍ୟ ଭାବେ ସ୍ଥାପନ କରାଯାଇଥିଲା।

ପରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରି ଦଶମ ସତ୍ୟବାଦୀ ମହୋତ୍ସବର ଆନୁଷ୍ଠାନିକ ଉଦଘାଟନ କରାଯାଇଥିଲା। ଉଦଘାଟନୀ ଅନୁଷ୍ଠାନରେ ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, କୋରେଇ ବିଧାୟକ ଆକାଶ ଦାସନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ, ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଓମ୍‌ ପ୍ରକାଶ ପରିଡ଼ା, ବିଡିଓ ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

whatsapp image 2026 02 05 at 11.06.47 pm
whatsapp image 2026 02 05 at 11.06.47 pm

ଅତିଥିମାନେ କହିଥିଲେ ଯେ ସତ୍ୟବାଦୀ ମହୋତ୍ସବ ଓଡ଼ିଆ ଜାତୀୟତା, ସଂସ୍କୃତି ଓ ପଞ୍ଚସଖା ପରମ୍ପରାକୁ ପୁନଃଜାଗୃତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। କମିଟି ସମ୍ପାଦକ ଦୀପକ ଶତପଥୀ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ସଂଯୋଜକ ଜାନକୀବଲ୍ଲଭ ବରାଳ, ତ୍ରିଲୋଚନ ରଥ ଓ ଉମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଆଇନଜୀବୀ ଅଞ୍ଜନ କୁମାର ହୋତା ସମଗ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

whatsapp image 2026 02 06 at 9.40.36 am (1)
whatsapp image 2026 02 06 at 9.40.36 am (1)

ସାଂସ୍କୃତିକ କାର୍ଯ୍ୟକ୍ରମରେ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟର କଳାକାରମାନଙ୍କ ଦ୍ୱାରା ଶ୍ରୀରାଧା ନୃତ୍ୟନାଟିକା ପରିବେଷଣ କରାଯାଇଥିଲା। ସ୍ୱୟଂ ସ୍ୱାଇଁଙ୍କ ପାଇକ ଆଖଡ଼ା, ଦେବସ୍ମିତା ହୋତାଙ୍କ ନୃତ୍ୟ ଓ ଏସ୍‌. ଜିତୁ, ସୌଜନ୍ୟା ରଥ ସହ ଟିମ୍‌ ଓଲିଉଡ୍‌ର ସଙ୍ଗୀତ ପରିବେଷଣରେ ଦର୍ଶକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନୋରଞ୍ଜିତ ହୋଇଥିଲେ।

whatsapp image 2026 02 05 at 10.46.31 pm
whatsapp image 2026 02 05 at 10.46.31 pm

ମହୋତ୍ସବ ଅବସରରେ ବକୁଳବନରୁ ସାକ୍ଷୀଗୋପାଳ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଅଞ୍ଚଳ ଆଲୋକମାଳାରେ ଝଲସିଉଠିଥିଲା। ସାକ୍ଷୀଗୋପାଳ ମନ୍ଦିରର ସୁନ୍ଦର ଆଲୋକସଜ୍ଜା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥିଲା। ଆଇନଶୃଙ୍ଖଳା ରକ୍ଷା ପାଇଁ ପିପିଲି ଏସ୍‌ଡିପିଓ, ନିମାପଡ଼ା ଓ ସତ୍ୟବାଦୀ ଆଇଆଇସିଙ୍କ ନେତୃତ୍ୱରେ ପୋଲିସ ବ୍ୟବସ୍ଥା ମୁତୟନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ସେହିପରି ଆଇନଜୀବୀ ଗୁଣ୍ଡିଚା ବରାଳଙ୍କ ଲିଖିତ “ସାକ୍ଷୀଗୋପାଳ” ପୁସ୍ତକ ମଧ୍ୟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply