ସାକ୍ଷୀଗୋପାଳ: ୧/୫/୨୦୨୬ – ନିଜର ବିଚକ୍ଷଣ ବୁଦ୍ଧି ଏବଂ ତତ୍କାଳ ସଠିକ ଉତ୍ତର ଦେଇଥିବା ଅଢେ଼ଇ ବର୍ଷର ଶିଶୁକନ୍ୟା ଶ୍ରେୟାଶିଂ ପଣ୍ଡା ଇଣ୍ଟରନାସନାଲ୍ ବୁକ୍ସ ଅଫ ରେକର୍ଡସରେ ସ୍ଥାନ ପାଇବାକୁ ସକ୍ଷମ ହୋଇଛନ୍ତି। ପୁର୍ବରୁ ୨୦ ମାସର ଏହି ଶିଶୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଥିବା ବେଳେ ବର୍ତ୍ତମାନ ଭାରତର ୧୭ ଟି ରାଷ୍ଟ୍ରୀୟ ପ୍ରତୀକ ତ୍ୱରିତ ଚିହ୍ନିତ କରି ସଠିକ ଉତ୍ତର ଦେବାରେ ସଫଳ ହୋଇଛନ୍ତି। ଯାହା ଆମ ଐତିହ୍ୟ, ସଂସ୍କୃତି ଓ ପରିଚୟକୁ ପ୍ରତିନିଧିତ୍ୱ କରିଥାଏ।

ସେଗୁଡ଼ିକ ମଧ୍ୟରେ ଜାତୀୟ ପତାକା, ଜାତୀୟ ମୋହର, ଜାତୀୟ ପକ୍ଷୀ, ମୁଦ୍ରା, ନଦୀ, ପାଞ୍ଜି, ଜନ୍ତୁ, ଜଳଚର ଜନ୍ତୁ, ଗୀତ, ସଙ୍ଗୀତ, ଫଳ, ଫୁଲ ଆଦି ଅନ୍ତର୍ଭୁକ୍ତ ରହିଛି। ଏହି କୃତିତ୍ବ ପାଇଁ ଓ୍ବାର୍ଲଡ୍ ରେକର୍ଡସ୍ ଅଫ୍ ଏକ୍ସେଲେନ୍ସ ପ୍ରମାଣ ପତ୍ର ଓ ପଦକ ପ୍ରଦାନ ପୂର୍ବକ ଇଣ୍ଟରନାସନାଲ୍ ବୁକ୍ସ ଅଫ ରେକର୍ଡସ ର ପ୍ରତିଷ୍ଠାତା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଙ୍କଜ ଭିଗ୍ ଶିଶୁ ଟିକୁ ଉତ୍ସାହିତ କରିଛନ୍ତି। ସେହିପରି ସୁପର ଟାଲେଣ୍ଟେଡ କିଡ୍ ପ୍ରତିଯୋଗୀତା ରେ ୩୫୦ ଟି ବିଭିନ୍ନ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ସୁପର ଟାଲେଣ୍ଟେଡ କିଡ୍ ଆଓ୍ବାଡ ପାଇଁ ମନୋନୀତ ହୋଇଛନ୍ତି। ସତ୍ୟବାଦୀ ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର କୁନିଝିଅ ଶ୍ରେୟାଶିଂର ମାତା ତପସ୍ବୀନି ପଣ୍ଡା ଓ ପିତା ଶିବଶଙ୍କର ପଣ୍ଡାଙ୍କ ପରିବାରରେ ଏଥିପାଇଁ ଖୁସିର ଲହରୀ ଖେଳିଯାଇଛି। ପୁରୀ ସହରରେ ରହୁଥିବା ଏହି ପରିବାରକୁ ବିଭିନ୍ନ ମହଲରୁ ଶିଶୁଟିର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଶୁଭେଚ୍ଛା ପହଞ୍ଚିବାରେ ଲାଗିଛି।











