ପୁରୀ, ୧୬ ମଇ : ବହୁ ପ୍ରତୀକ୍ଷିତ ସମାଜସେବୀ କବି କୃଷ୍ଣ ଜଗଦ୍ଦେବଙ୍କ ରଚିତ କବିତା ସଂକଳନ “କବିତା କୁସୁମାଞ୍ଜଳି” ଆଜି ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ହର୍ଷୋଲ୍ଲାସ ଓ ଗମ୍ଭୀର ପରିବେଶ ମଧ୍ୟରେ ପାଠକାର୍ପିତ ହୋଇଯାଇଛି। ଏହି ସାହିତ୍ୟିକ ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକଟିର ଉନ୍ମୋଚନ କରିଥିଲେ। ନିଜ ଉଦ୍ବୋଧନରେ ସେ କହିଥିଲେ ଯେ, କବି କୃଷ୍ଣ ଜଗଦ୍ଦେବ ତାଙ୍କ ରଚନାରେ ଆଧ୍ୟାତ୍ମିକତା,

ଦେଶଭକ୍ତି ଓ ସମାଜର ବିଭିନ୍ନ ସମସ୍ୟାକୁ ଯେପରି ଭାବରେ ଉପସ୍ଥାପନା କରିଛନ୍ତି, ତାହା ଆଗାମୀ ପିଢ଼ି ପାଇଁ ପ୍ରେରଣାଦାୟକ ହେବ। ସମ୍ମାନିତ ଅତିଥି ଭାବେ ପ୍ରଫେସର ବସନ୍ତ କୁମାର ପଣ୍ଡା, ବିଶିଷ୍ଟ ସାହିତ୍ୟିକ ତଥା ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ, କବି ରକ୍ଷକ ନାୟକ ଏବଂ ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇ “କବିତା କୁସୁମାଞ୍ଜଳି” ପୁସ୍ତକର ସମୀକ୍ଷା କରି ଏହାର ଉଚ୍ଚ ପ୍ରଶଂସା କରିଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ୱାଗତ ଜଣାଇ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟକୁ ନିଆଯାଇଥିଲା। ସେଠାରେ ସେ ପୁଷ୍ପାର୍ଘ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ସଭାକକ୍ଷରେ କବି କୃଷ୍ଣ ଜଗଦ୍ଦେବ କହିଥିଲେ ଯେ, ତାଙ୍କ ସ୍ୱରଚିତ “କବିତା କୁସୁମାଞ୍ଜଳି” ପୁସ୍ତକ ପାଠକମାନଙ୍କର ସ୍ୱୀକୃତି ପାଇ ସମାଜ କଲ୍ୟାଣରେ ସହାୟକ ହେଲେ ସେ ନିଜକୁ ଧନ୍ୟ ମନେ କରିବେ। ଅନୁଷ୍ଠାନରେ ପ୍ରକାଶକ ସୁଧୀର ମଉଡମଣୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଭିନନ୍ଦନିକାର ସମ୍ପାଦକ ଶ୍ୟାମପ୍ରକାଶ ସେନାପତି କାର୍ଯ୍ୟକ୍ରମଟିକୁ ସୁଚାରୁ ଭାବେ ସଂଚାଳନ କରିଥିଲେ। ପୁରୀ ସହ ସମଗ୍ର ଜିଲ୍ଲାରୁ ତିନିଶହରୁ ଅଧିକ ବୁଦ୍ଧିଜୀବୀ, ସାହିତ୍ୟିକ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ଏହି ସାହିତ୍ୟିକ ଉତ୍ସବକୁ ଗୌରବମଣ୍ଡିତ କରିଥିଲେ।











