Home / ମୁଖ୍ୟ ଖବର / କେନାଲ ସାଇଫନ୍ ମରାମତି ନହେଲେ ବିଭାଗୀୟ ଅଧିକାରୀଙ୍କ ଅଫିସରେ ପଡ଼ିବ ତାଲା: ଚେତାବନୀ ଦେଲେ ବିଜେପି କୃଷକ ମୋର୍ଚ୍ଚା ପୂର୍ବତନ ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ

କେନାଲ ସାଇଫନ୍ ମରାମତି ନହେଲେ ବିଭାଗୀୟ ଅଧିକାରୀଙ୍କ ଅଫିସରେ ପଡ଼ିବ ତାଲା: ଚେତାବନୀ ଦେଲେ ବିଜେପି କୃଷକ ମୋର୍ଚ୍ଚା ପୂର୍ବତନ ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ

​ (ପୁରୀ) ୧୬/୦୫: ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବାଲିକନ୍ଦଳ ଗ୍ରାମ ନିକଟରେ ଥିବା ଜୁଣେଇ ମାଇନର କେନାଲ ର ଏକ ପୁରୁଣା ସାଇଫନ୍‌ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ି ରହିଥିବାରୁ ଅଞ୍ଚଳରେ ଚାଷୀ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହି ସାଇଫନ୍ ଅକାମୀ ହେବା ଫଳରେ ବେଗୁନିଆ, ଭଇରିପୁର, ବେଦପୁର ଓ ବାଲିକନ୍ଦଳ ମୌଜାର ପ୍ରାୟ ୫୦୦ ଏକରରୁ ଊର୍ଦ୍ଧ୍ୱ ଚାଷ ଜମିରୁ ବର୍ଷା ଜଳ ନିଷ୍କାସନ ହୋଇପାରୁ ନାହିଁ। ଫଳରେ ଚାଷ ଜମିରେ ବ୍ୟାପକ ଭାବେ ଅମୁରୀ ଗଛ ମାଡ଼ିଯାଇ ଫସଲ ନଷ୍ଟ ହେବାକୁ ବସିଲାଣି।

​ଏହି ଗମ୍ଭୀର ସମସ୍ୟାକୁ ନେଇ ଆଜି ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ପୁରୀ ଜିଲ୍ଲା ଧାନ ସଂଗ୍ରହ କମିଟିର ଚାଷୀ ପ୍ରତିନିଧି ପ୍ରଶାନ୍ତ ସ୍ୱାଇଁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଏକ ଜରୁରୀ ଚିଠି ଲେଖି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।



ଚାଷୀ ପ୍ରତିନିଧି ଶ୍ରୀ ସ୍ୱାଇଁ ଚେତାବନୀ ଦେଇଛନ୍ତି ଯେ, ଆସନ୍ତା ୧୫ ଦିନ ମଧ୍ୟରେ ଖରିଫ ଋତୁ ପାଇଁ କେନାଲରେ ପାଣି ଛଡ଼ାଯିବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ମୌସୁମୀ ବର୍ଷା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଯଦି ଏହି ସମୟ ମଧ୍ୟରେ ସାଇଫନ୍‌ର ମରାମତି କିମ୍ବା ନୂତନ ନିର୍ମାଣ କାର୍ଯ୍ୟ କରା ନଯାଏ, ତେବେ ପରବର୍ତ୍ତୀ ସମୟରେ ଏହା ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡ଼ିବ। ବାରମ୍ବାର ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କେବଳ ଉଦାସୀନତା ହିଁ ସାର ହୋଇଛି।

ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି କାର୍ଯ୍ୟକୁ ‘ଅଗ୍ରାଧିକାର ଭିତ୍ତି’ରେ କରାଯାଉ ବୋଲି ସେ ଦାବି କରିଛନ୍ତି। ଯଦି ଆସନ୍ତା ଦୁଇ-ତିନି ଦିନ ମଧ୍ୟରେ କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ କରା ନଯାଏ, ତେବେ ଅଞ୍ଚଳର ଶତାଧିକ ଚାଷୀ ବାଧ୍ୟ ହୋଇ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଶ୍ରୀ ସ୍ୱାଇଁ ସ୍ପଷ୍ଟ କରିଛନ୍ତି। ବିଭାଗର ଏହି ଖାମଖିଆଲି ମନୋଭାବ ଯୋଗୁଁ ସ୍ଥାନୀୟ ଚାଷୀକୂଳ ଏବେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଦେଖିବାକୁ ମିଳିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply