Home / ମୁଖ୍ୟ ଖବର / ପୁରୀ ଜିଲ୍ଲାରେ ବଡ଼ ଧରଣର ରାଜସ୍ୱ କେଳେଙ୍କାରୀ ଆଶଙ୍କା-ବାଲିଘାଟ ଓ ଜବରଦଖଲ ତଥ୍ୟ ଲୁଚାଇବା ପଛରେ କଣ ରହିଛି ରହସ୍ୟ!

ପୁରୀ ଜିଲ୍ଲାରେ ବଡ଼ ଧରଣର ରାଜସ୍ୱ କେଳେଙ୍କାରୀ ଆଶଙ୍କା-ବାଲିଘାଟ ଓ ଜବରଦଖଲ ତଥ୍ୟ ଲୁଚାଇବା ପଛରେ କଣ ରହିଛି ରହସ୍ୟ!

ପୁରୀ/ଗୋପ, ୨୩ ମେ: ପୁରୀ ଜିଲ୍ଲା ପ୍ରଶାସନର ସ୍ୱଚ୍ଛତା ଓ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ୱକୁ ନେଇ ଏବେ ଗଭୀର ପ୍ରଶ୍ନ ଉଠିଛି। ସୂଚନା ଅଧିକାର ଆଇନ ଅନୁଯାୟୀ ମାଗାଯାଇଥିବା ଗୁରୁତ୍ୱପୂର୍ଣ୍ଣ ସରକାରୀ ତଥ୍ୟ ପ୍ରକାଶ କରିବାରେ ଜିଲ୍ଲା ପ୍ରଶାସନ ଟାଳଟୁଳ ନୀତି ଦେଖାଉଥିବା ଅଭିଯୋଗ ସାମ୍ନାକୁ ଆସିଛି।

ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ସ୍ୱାଇଁ (ଲୁଲୁ)ଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଉତ୍ତରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ତୌଜି ସେକ୍ସନ ପକ୍ଷରୁ ଯେଉଁ ସୂଚନା ଦିଆଯାଇଛି, ତାହାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି।
ଦୁଇ ବର୍ଷରେ ୧୦୨ କୋଟିରୁ ଅଧିକ ରାଜସ୍ୱ ଆଦାୟ ମିଳିଥିବା ସରକାରୀ ତଥ୍ୟ ଅନୁସାରେ, ପୁରୀ ଜିଲ୍ଲାରୁ ଗତ ଦୁଇ ଆର୍ଥିକ ବର୍ଷରେ ବିପୁଳ ପରିମାଣର ରାଜସ୍ୱ ଆଦାୟ ହୋଇଛି। ଦୁଇ ବର୍ଷରେ ମୋଟ ୧୦୨ କୋଟି ଟଙ୍କାରୁ ଅଧିକ ରାଜସ୍ୱ ସଂଗ୍ରହ ହୋଇଥିବା ସ୍ପଷ୍ଟ ହେଉଛି।

କିନ୍ତୁ ଚମତ୍କାର କଥା ହେଉଛି, ପ୍ରଶାସନ କେବଳ ମୋଟ ଆଦାୟର ଅଙ୍କ ଦେଇ ନିଜ ଦାୟିତ୍ୱ ସାରିଦେଇଛି। ଆବେଦନକାରୀ ଜିଲ୍ଲାର ସମସ୍ତ ତହସିଲର ପୃଥକ “ତହସିଲୱାରୀ” ବିବରଣୀ ମାଗିଥିଲେ ମଧ୍ୟ ସେହି ତଥ୍ୟ ଯୋଗାଇ ଦିଆଯାଇନାହିଁ।

ଶ୍ରୀ ସ୍ୱାଇଁ ଜିଲ୍ଲାର କିଛି ସଂବେଦନଶୀଳ ଓ ଦୁର୍ନୀତିପ୍ରବଣ କ୍ଷେତ୍ର ସମ୍ବନ୍ଧୀୟ ତଥ୍ୟ ମାଗିଥିଲେ। ସେଥିରେ ପ୍ରମୁଖ ଭାବେ ଥିଲା
ବିଭିନ୍ନ ବାଲିଘାଟ, ପଥର କ୍ୱାରୀ ଓ ଲଘୁ ଖଣିଜରୁ ପ୍ରକୃତରେ କେତେ ଆୟ ହେଉଛି
ସରକାରୀ ଜମି ଜବରଦଖଲର ବର୍ତ୍ତମାନ ସ୍ଥିତି କଣ ଏବଂ ଜବରଦଖଲ ହଟାଇବା ପାଇଁ କେତେ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଏହି ସବୁ ପ୍ରଶ୍ନରେ ଜିଲ୍ଲା ପ୍ରଶାସନ କୌଣସି ସ୍ପଷ୍ଟ ଉତ୍ତର ଦେଇନଥିବାରୁ ସନ୍ଦେହ ଆହୁରି ଗଭୀର ହୋଇଛି।

ସାଧାରଣରେ ଏବେ ପ୍ରଶ୍ନ ଉଠୁଛି—ଏହି ସବୁ ତଥ୍ୟ ପ୍ରକାଶ ପାଇଲେ କି ବେଆଇନ ବାଲି ମାଫିଆ ଓ ରାଜସ୍ୱ ଅନିୟମିତତାର ବଡ଼ ଚିତ୍ର ସାମ୍ନାକୁ ଆସିଯିବ? ପ୍ରଶାସନ କି ସୁଚିନ୍ତିତ ଭାବେ ତଥ୍ୟ ଗୋପନ ରଖୁଛି?

ପ୍ରଶାନ୍ତ ସ୍ୱାଇଁ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ପ୍ରଶାନ୍ତ କୁମାର ସ୍ୱାଇଁ। ସେ କହିଛନ୍ତି— “ବାଲିଘାଟ ଦୁର୍ନୀତି ଓ ସରକାରୀ ଜମି ଜବରଦଖଲ ଭଳି ସଂବେଦନଶୀଳ ପ୍ରସଙ୍ଗକୁ ଲୁଚାଇବା ପାଇଁ ପ୍ରଶାସନ ଚେଷ୍ଟା କରୁଛି। ଜିଲ୍ଲାର ସମ୍ପତ୍ତିକୁ ନେଇ ବଡ଼ ଧରଣର ଅନିୟମିତତା ଚାଲିଥିବା ସନ୍ଦେହ ହେଉଛି। ଅସମ୍ପୂର୍ଣ୍ଣ ତଥ୍ୟକୁ ଆମେ ଗ୍ରହଣ କରିବୁ ନାହିଁ। ପ୍ରକୃତ ସତ୍ୟକୁ ସାମ୍ନାକୁ ଆଣିବା ପାଇଁ ଶୀଘ୍ର ପ୍ରଥମ ଅପିଲ୍ ଦାଖଲ କରିବୁ।”

ଏହି ଘଟଣା ପରେ ପୁରୀ ଜିଲ୍ଲାର ରାଜନୈତିକ ଓ ପ୍ରଶାସନିକ ମହଳରେ ଚର୍ଚ୍ଚା ତୀବ୍ର ହୋଇପଡ଼ିଛି। ଜିଲ୍ଲା ପ୍ରଶାସନ କାହାର ଛତ୍ରଛାୟାରେ ଏହି ସମସ୍ତ ତଥ୍ୟ ଲୁଚାଇ ରଖୁଛି, ତାହା ଏବେ ସାଧାରଣ ଲୋକଙ୍କ ମନରେ ବଡ଼ ପ୍ରଶ୍ନ ହୋଇ ଉଠିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply