ପୁରୀ: ୧୧/୬/୨୬ : ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର ର ବରିଷ୍ଠ ଅଧିକାରୀଙ୍କ ସହ ରଥ ନିର୍ମାଣ ସହିତ ହାତକୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ। ରଥକାଠ ସଂଗ୍ରହ ଓ ପରମ୍ପରା ପ୍ରକାରେ ରଥ ନିର୍ମାଣ ଆଗେଇ ଚାଲିଥିବାରୁ ମୁଖ୍ୟ ପ୍ରଶାସକ ସନ୍ତୋଷ ପ୍ରକାଶ କରିଥିଲେ, କରତ କଳରେ ପହଞ୍ଚିଥିବା ତାଳ କାଠ ଶୀଘ୍ର ଚିରଟ କରି ଅଧିକ ଏକ ସେଟ୍ ଚାର ମାଳ ଗଚ୍ଛିତ ରଖିବାକୁ ଆଦେଶ ଦେଇଥିଲେ।
ଶ୍ରୀମନ୍ଦିର ପରିସରରେ ନିର୍ମାଣାଧିନ କୋଇଲି ବୈକୁଣ୍ଠ ଫୁଲ ଗୁନ୍ଥା ଗୃହ ଶୀଘ୍ର ଶେଷ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ମହାପ୍ରଭୁଙ୍କ ବିଭିନ୍ନ ସ୍ଥାନରେ ଥିବା ଜମିର ସୁରକ୍ଷା ପାଇଁ ଯଥୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ପରାମର୍ଶ ଦେବାସହ ଭୁବନେଶ୍ୱର କୋରଡ଼ କଣ୍ଟାରେ ମହାପ୍ରଭୁଙ୍କ ମୂଲ୍ୟବାନ ଜମି ଜବରଦଖଲ ମୁକ୍ତ କରାଯାଇଥିବାରୁ ସନ୍ତୋଷ ବ୍ୟକ୍ତ କରି ଅନ୍ୟାନ୍ୟ ଜବରଦଖଲରେ ଥିବା ଜମିକୁ ତୁରନ୍ତ ପ୍ରଶାସନ ଅଧୀନକୁ ଆଣିବାକୁ ଅନୁରୂପ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ।
ଏଥିସହ ଶ୍ରୀମନ୍ଦିର ସମ୍ବନ୍ଧୀୟ ବିଭିନ୍ନ କୋର୍ଟରେ ଥିବା ମାମଲା ଗୁଡ଼ିକର ତାଲିକା ଅଦ୍ୟତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ।
ଗତକାଲି ଅପରାହ୍ନରେ ମୁଖ୍ୟ ପ୍ରଶାସକ ଅଧିକାରୀ ମାନଙ୍କ ଗହଣରେ ଶ୍ରୀଗୁଣ୍ଡିଚା ମନ୍ଦିର ଓ ହରଚଣ୍ଡୀ ସାହି ସ୍ଥିତ ସେବାୟତଙ୍କ ବାସଗୃହ ପାଇଁ ନିରୂପିତ ସ୍ଥାନ ପରିଦର୍ଶନ କରିଥିଲେ। ଆଗାମୀ ରଥ ଯାତ୍ରା ନିକଟତର ହୋଇଆସୁଥିବା ଶ୍ରୀଗୁଣ୍ଡିଚା ମନ୍ଦିରର ସମସ୍ତ ନିର୍ମାଣାଧିନ କାର୍ଯ୍ୟ ଜୁନ୍ ୨୦ ତାରିଖ ସୁଦ୍ଧା ଶେଷ କରିବାକୁ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ।









