Home / ମୁଖ୍ୟ ଖବର / ପୁରୀ ସହରରେ ୪ର୍ଥ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ ହୋଇଯାଇଛି।

ପୁରୀ ସହରରେ ୪ର୍ଥ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ ହୋଇଯାଇଛି।

ପୁରୀ: ୨/୭/୨୦୨୬ – ସମାନତା, ମର୍ଯ୍ୟାଦା,ଏବଂ LGBTQIA+ ସମ୍ପ୍ରଦାୟର ଅଧିକାରକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସାଥୀ (SAATHII) ଓ ପୁରୀ ଜିଲ୍ଲା କିନ୍ନର ସଂଘର ମିଳିତ ସହଯୋଗରେ ଏହି ପ୍ରାଇଡ୍ ୱାକ୍ ଆୟୋଜନ କରାଯାଇଥିଲା।ପୁରୀ ଶ୍ରୀ ଗୁଣ୍ଡିଚା ମନ୍ଦିର ଠାରେ ଏହି ପ୍ରାଇଡ୍ ୱାକ୍‌କୁ ପୁରୀର ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଶ୍ରୀମତୀ ନମିତା ଚାନ୍ଦ ରାୟ,ଦ ବେଲ୍‌ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ଏବଂ ପୁରୀର ବରିଷ୍ଠ ଟ୍ରାନ୍ସ ଅଧିକାର କର୍ମୀ ଦେବକୀ କିନ୍ନର ରେନବୋ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମରେ LGBTQIA+ ସମ୍ପ୍ରଦାୟର ସଦସ୍ୟ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ଏବଂ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ଲିଙ୍ଗଗତ ଓ ଯୌନଗତ ବିବିଧତାକୁ ଉତ୍ସବମୁଖର ଭାବେ ପାଳନ କରିବା ସହ ଏକ ଅନ୍ତର୍ଭୁକ୍ତିମୂଳକ ସମାଜ ଗଠନର ବାର୍ତ୍ତା ପ୍ରଦାନ କରିଥିଲେ।

ଅଂଶଗ୍ରହଣକାରୀମାନେ ରଙ୍ଗିନ ରେନବୋ ପତାକା ଏବଂ ସମାନତା, ଗ୍ରହଣୀୟତା ଓ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରତି ସମ୍ମାନର ବାର୍ତ୍ତା ବହନ କରୁଥିବା ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ଲିଙ୍ଗଗତ ପରିଚୟ କିମ୍ବା ଯୌନ ଅଭିମୁଖ୍ୟତା ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ଅଧିକାର ଓ ସମ୍ମାନ ନିଶ୍ଚିତ କରିବାକୁ ସେମାନେ ଆହ୍ୱାନ ଜଣାଇଥିଲେ।

ଅବସରରେ ସମୁଦାୟର ନେତୃବୃନ୍ଦ LGBTQIA+ ବ୍ୟକ୍ତିମାନଙ୍କ ପ୍ରତି ରହିଥିବା ସାମାଜିକ କଳଙ୍କ ଓ ଭେଦଭାବ ଦୂର କରିବା ସହ ସ୍ୱାସ୍ଥ୍ୟସେବା, ଶିକ୍ଷା, ନିଯୁକ୍ତି ଏବଂ ନ୍ୟାୟ ପ୍ରାପ୍ତିରେ ସମାନ ସୁଯୋଗ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଓ ସଫଳ କରିବାରେ ସହଯୋଗ କରିଥିବା ଜିଲ୍ଲା ପ୍ରଶାସନ, ପୁଲିସ ବିଭାଗ, ଗଣମାଧ୍ୟମ ପ୍ରତିନିଧି, ସହଯୋଗୀ ସଂଗଠନ ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସାଥୀ ଅନୁଷ୍ଠାନ ତରଫରୁ କର୍ମକର୍ତ୍ତା ମାନେ ଧନ୍ୟବାଦ୍ ଦେଇ ଥିଲେ।

ଶେଷରେ, ପ୍ରତ୍ୟେକ ବ୍ୟକ୍ତି ଯେପରି ମର୍ଯ୍ୟାଦା, ସ୍ୱାଧୀନତା ଓ ଗର୍ବର ସହ ବଞ୍ଚିପାରିବେ, ସେଭଳି ଏକ ସମାଜ ଗଠନ ପାଇଁ ନିରନ୍ତର କାର୍ଯ୍ୟ କରିବାର ସାମୂହିକ ସଂକଳ୍ପ ସହ ପ୍ରାଇଡ୍ ୱାକ୍‌ ଭକ୍ତ ସାଲବେଗ ପୀଠ ଠାରେ ଶେଷ ହୋଇ ଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply