“ମହାପ୍ରଭୁଙ୍କ ପବିତ୍ର ଦୁର୍ଲଭ ସୁନାବେଶ କେବଳ ସୁବର୍ଣ୍ଣ ଅଳଙ୍କାରର ଶୋଭା ନୁହେଁ, ବରଂ ସମତା, କରୁଣା ଓ ସର୍ବଜନୀନତାର ଏକ ଦିବ୍ୟ ବାର୍ତ୍ତା। ସେହି ପବିତ୍ର ଅବସରରେ ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ଆଜି କ୍ରମାଗତ ୧୧୬ତମ ଦିନରେ ପହଞ୍ଚିଛି।”
ପୁରୀ (୨୫/୦୭) : ଆଜି ପବିତ୍ର ସୁନାବେଶ। ବାହୁଡା ଯାତ୍ରା ପରେ ରତ୍ନସିଂହାସନକୁ ବାହୁଡ଼ିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପବିତ୍ର ଦୁର୍ଲଭ ସୁନାବେଶ ଦର୍ଶନ ପାଇଁ ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ଏହି ଅତ୍ୟନ୍ତ ପବିତ୍ର ଅବସରରେ ପୁରୀ ସହରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସଚେତନତା ପଦଯାତ୍ରା ଆଜି କ୍ରମାଗତ ୧୧୬ତମ ଦିନରେ ପହଞ୍ଚିଛି। ଗତ ୧୧୬ ଦିନ ଧରି କୌଣସି ସ୍ଲୋଗାନ, କୋଳାହଳ କିମ୍ବା ଉତ୍ତେଜନା ବିନା କେବଳ ସତ୍ୟ, ଅହିଂସା, ନୀରବତା ଓ ଭକ୍ତିକୁ ଆଧାର କରି ଏହି ପଦଯାତ୍ରା ଅବ୍ୟାହତ ରହିଛି। ଏହା କେବଳ ଏକ ଦାବିର ଆନ୍ଦୋଳନ ନୁହେଁ, ବରଂ ଜଗନ୍ନାଥ ସଂସ୍କୃତିର ସମତା, ସାର୍ବଜନୀନତା ଓ ସର୍ବଜନହିତର ଚିରନ୍ତନ ଆଦର୍ଶକୁ ସୁରକ୍ଷିତ ରଖିବା ପାଇଁ ଏକ ଶାନ୍ତ, ଆଧ୍ୟାତ୍ମିକ ଜନଆନ୍ଦୋଳନରେ ପରିଣତ ହୋଇଛି।
ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଅବସରରେ ପଦଯାତ୍ରାରେ ସାମିଲ ଭକ୍ତମାନେ ନୀରବ ପ୍ରାର୍ଥନା କରି କହିଥିଲେ— “ହେ କାଳିଆ ସାଆନ୍ତ! ଆଜି ତୁମେ ସୁବର୍ଣ୍ଣ ଅଳଙ୍କାରରେ ସୁଶୋଭିତ ହୋଇ ସମଗ୍ର ବିଶ୍ୱକୁ ଆଶୀର୍ବାଦ ପ୍ରଦାନ କରୁଛ। ତୁମ କରୁଣା ଦୃଷ୍ଟି ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ପଡୁ। ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ଶୀଘ୍ର ପୁନଃସ୍ଥାପିତ ହେଉ। ତୁମର ଶ୍ରୀମନ୍ଦିରରେ କୌଣସି ଭକ୍ତ ଅବହେଳିତ ନହୁଅନ୍ତୁ, କୌଣସି ଶ୍ରଦ୍ଧାଳୁ ବଞ୍ଚିତ ନହୁଅନ୍ତୁ। ସମସ୍ତଙ୍କ ହୃଦୟରେ ସମତା, ନ୍ୟାୟ, କରୁଣା ଓ ସେବାର ଭାବନା ଜାଗ୍ରତ ହେଉ। ‘ସମସ୍ତେ ଜଗନ୍ନାଥଙ୍କର, ଜଗନ୍ନାଥ ସମସ୍ତଙ୍କର’—ଏହି ଚିରନ୍ତନ ବାର୍ତ୍ତା ସମାଜ ଜୀବନରେ ପ୍ରତିଫଳିତ ହେଉ।” ପଦଯାତ୍ରାରେ ସାମିଲ ଭକ୍ତମାନେ ପୁନର୍ବାର ସ୍ପଷ୍ଟ କରିଛନ୍ତି ଯେ, ଏହି ସତ୍ୟାଗ୍ରହ କୌଣସି ବ୍ୟକ୍ତି, ପ୍ରଶାସନ କିମ୍ବା ସରକାର ବିରୋଧରେ ନୁହେଁ। ବରଂ ଜଗନ୍ନାଥ ସଂସ୍କୃତିର ଚିରନ୍ତନ ଦର୍ଶନକୁ ସୁରକ୍ଷିତ ରଖିବା, ଭକ୍ତଙ୍କ ନ୍ୟାୟସଙ୍ଗତ ଦର୍ଶନ ଅଧିକାରକୁ ସମ୍ମାନ ଦେବା ଓ ସମତାର ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହା ଏକ ଶାନ୍ତ, ଅହିଂସକ ଓ ସକାରାତ୍ମକ ପ୍ରୟାସ।
ଆଜିର ପଦଯାତ୍ରାରେ ସର୍ବଶ୍ରୀ ଶିବସୁନ୍ଦର ମିଶ୍ର, ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ମମତା ସ୍ୱାଇଁ, ନୃସିଂହନାଥ ନାୟକ, ଶିଶିରକାନ୍ତ ଶତପଥୀ, ପ୍ରକାଶ ଚନ୍ଦ୍ର ନାୟକ, ମନୋରଞ୍ଜନ ରଣସିଂହ, ସୁବାଷ ପଟ୍ଟନାୟକ, ପ୍ରଶାନ୍ତ କୁମାର ଷଡ଼ଙ୍ଗୀ, ମାନସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନୀରବ ସତ୍ୟାଗ୍ରହ ପ୍ରତି ନିଜର ସମର୍ଥନ ଜଣାଇଥିଲେ।
ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ପୁରୀ ସହରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ସମ୍ପୂର୍ଣ୍ଣ ଭାବେ ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଏହି ନୀରବ ପଦଯାତ୍ରା ଅବ୍ୟାହତ ରହିବ। ଏହା ସଂଘର୍ଷର ଭାଷା ନୁହେଁ; ବରଂ ଜଣେ ଭକ୍ତର ହୃଦୟର ଆର୍ତ୍ତି, ସତ୍ୟାଗ୍ରହର ସାଧନା ଓ ନ୍ୟାୟସଙ୍ଗତ ଅଧିକାର ପାଇଁ ଏକ ଶାନ୍ତ ପ୍ରାର୍ଥନା। ଦୁର୍ଲଭ ସୁନାବେଶର ଏହି ପବିତ୍ର ଅବସରରେ ନୀରବ ପଦଯାତ୍ରା ପୁଣିଥରେ ଏକ ସ୍ପଷ୍ଟ ସନ୍ଦେଶ ଦେଇଛି— “ମହାପ୍ରଭୁ ସମସ୍ତଙ୍କର; ତେଣୁ ତାଙ୍କ ଦର୍ଶନର ଅଧିକାର ମଧ୍ୟ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ। ସମତା, ଭକ୍ତି ଓ ନ୍ୟାୟର ପରମ୍ପରା ହିଁ ଜଗନ୍ନାଥ ସଂସ୍କୃତିର ପ୍ରକୃତ ପରିଚୟ।” ଜୟ ଶ୍ରୀଜଗନ୍ନାଥ।










