Home / ମୁଖ୍ୟ ଖବର / ଗୋପ ବ୍ଲକ୍‌ର ୩୦୦ ହେକ୍ଟରରୁ ଊର୍ଦ୍ଧ୍ୱ ଚାଷଜମି ପାଇଁ ଇଟାକୁଦଠାରେ ନୂତନ ଉଠା ଜଳସେଚନ ପ୍ରକଳ୍ପ ଦାବି 

ଗୋପ ବ୍ଲକ୍‌ର ୩୦୦ ହେକ୍ଟରରୁ ଊର୍ଦ୍ଧ୍ୱ ଚାଷଜମି ପାଇଁ ଇଟାକୁଦଠାରେ ନୂତନ ଉଠା ଜଳସେଚନ ପ୍ରକଳ୍ପ ଦାବି 

 ପୁରୀ: ପୁରୀ ଜିଲ୍ଲାର ଗୋପ ବ୍ଲକ୍‌ ଅନ୍ତର୍ଗତ ଡଭାର, ରାହଙ୍ଗହୋରଡ଼ା ଓ ନୁଆଖୋଲମରା ଗ୍ରାମପଞ୍ଚାୟତରେ ଜଳସେଚନ ସମସ୍ୟା ଦିନକୁ ଦିନ ଗୁରୁତର ହେଉଥିବାରୁ ୩୦୦ ହେକ୍ଟରରୁ ଊର୍ଦ୍ଧ୍ୱ ଚାଷଜମି ପାଇଁ ଇଟାକୁଦଠାରେ ନୂତନ ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ କରିବାକୁ ଦାବି ହୋଇଛି। ଉପଯୁକ୍ତ ଜଳସେଚନ ସୁବିଧା ଅଭାବରୁ ଏହି ଅଞ୍ଚଳର ଶତାଧିକ ଏକର ଚାଷଜମି ଅନେକ ସମୟରେ ଶୁଖିଲା ପଡ଼ିରହୁଛି। ଫଳରେ ଚାଷୀମାନେ ଫସଲ ଉତ୍ପାଦନ ସହ ନିଜର ଜୀବିକାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ସ୍ଥାନୀୟ ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଇଟାକୁଦଠାରେ ପୂର୍ବରୁ ରହିଥିବା ଉଠା ଜଳସେଚନ ପ୍ରକଳ୍ପ ଦୀର୍ଘଦିନ ଧରି ଅଚଳ ହୋଇ ପଡ଼ିରହିଛି। ପ୍ରକଳ୍ପର ବିଭିନ୍ନ ଯନ୍ତ୍ରାଂଶ ଭାଙ୍ଗିରୁଜି ଯାଇଥିବାରୁ ଚାଷଜମିକୁ ଆବଶ୍ୟକ ଜଳ ଯୋଗାଣ ହୋଇପାରୁନାହିଁ। ସ୍ଥାନୀୟ କୃଷକମାନଙ୍କ ଅଭିଯୋଗ ଓ ସ୍ଥିତି ପରିଦର୍ଶନ ପରେ ସମସ୍ୟାର ଗୁରୁତ୍ୱ ଅନୁଧ୍ୟାନ କରି ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ପୁରୀ ଜିଲ୍ଲା ଧାନ ସଂଗ୍ରହ କମିଟିର ଚାଷୀ ପ୍ରତିନିଧି ପ୍ରଶାନ୍ତ କୁମାର ସ୍ୱାଇଁ (ଲୁଲୁ) ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏନେଇ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ କୃଷି ଓ ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ପ୍ରଶାନ୍ତ ସ୍ୱାଇଁ ଦାବି କରିଛନ୍ତି ଯେ, ଇଟାକୁଦଠାରେ ଅଚଳ ହୋଇ ପଡ଼ିଥିବା ପୁରୁଣା ଲିଫ୍ଟ ଇରିଗେସନ୍ ବ୍ୟବସ୍ଥାକୁ ତୁରନ୍ତ ପୁନରୁଦ୍ଧାର କରାଯାଉ କିମ୍ବା ସେଠାରେ ଏକ ନୂତନ ହାଇ-କାପାସିଟି ପମ୍ପସେଟ୍ ସ୍ଥାପନ କରାଯାଉ। ଏଥିସହ ଅଞ୍ଚଳକୁ ‘ପାର୍ବତୀ ଗିରି ଉଠା ଜଳସେଚନ ଯୋଜନା’ରେ ସାମିଲ କରି ଭୂତଳ ପାଇପଲାଇନ୍‌ ମାଧ୍ୟମରେ ପ୍ରତ୍ୟେକ ଚାଷଜମିକୁ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ସେ ଦାବି ଜଣାଇଛନ୍ତି।

ଏହି ସମସ୍ୟାର ଜରୁରୀକାଳୀନ ଯାଞ୍ଚ ପାଇଁ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ ତୁରନ୍ତ ଇଟାକୁଦ ଓ ଏହାର ଆଖପାଖ ଅଞ୍ଚଳ ପରିଦର୍ଶନ କରି ଯାନ୍ତ୍ରିକ ଓ ଭୌଗୋଳିକ ଅନୁଧ୍ୟାନ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଦାବି ହୋଇଛି।

ଶତାଧିକ କୃଷକ ପରିବାରର ଜୀବିକା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ଜଳସେଚନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଚାଷୀମାନେ ଦାବି କରିଛନ୍ତି। ଏହି ଦାବିକୁ ସମର୍ଥନ କରି ବିଜେପି ଯୁବ ମୋର୍ଚ୍ଚା ସଭାପତି ସୌମ୍ୟରଞ୍ଜନ ବେହେରା, ଶିବାନୀ ଶଙ୍କର ସେଠୀ, ପ୍ରଦୀପ ବେହେରା, ପ୍ରଦୀପ୍ତ ରାୟଗୁରୁ, ତାପସ ବେହେରାଙ୍କ ସମେତ ଅନ୍ୟ ଯୁବ ପ୍ରତିନିଧିମାନେ ମଧ୍ୟ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply