ପୁରୀ, ତାରିଖ:19/08/2026 – ପୁରୀର ପ୍ରସିଦ୍ଧ ତଥା ବହୁ ପୁରାତନ ଐତିହାସିକ ଶ୍ରୀ ଲୋକନାଥ ମହାଦେବ ମନ୍ଦିରର କୋଠ ଭୋଗ ବ୍ୟବସ୍ଥାକୁ ନେଇ ଆମ୍ ଆଦ୍ମୀ ପାର୍ଟି ପୁରୀ ଜିଲ୍ଲା ପକ୍ଷରୁ ଉଦ୍ବେଗ ପ୍ରକାଶ କରାଯାଇଛି। ବର୍ତ୍ତମାନ ଭକ୍ତ ଓ ସ୍ଥାନୀୟ ଦୋକାନୀମାନେ ପ୍ରତିଦିନ ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ଦାନ କରିବା ଦ୍ୱାରା ଲୋକନାଥଙ୍କ କୋଠ ଭୋଗ ପ୍ରସ୍ତୁତ ହେଉଥିବା ଜଣାପଡ଼ୁଛି। ଏଭଳି ଦାନ ଉପରେ ନିର୍ଭର କରି ଏକ ପ୍ରମୁଖ ଐତିହାସିକ ମନ୍ଦିରର ନିତ୍ୟ କୋଠ ଭୋଗ ଚାଲିବା ଗ୍ରହଣୀୟ ନୁହେଁ। ମନ୍ଦିରର ପରମ୍ପରା ଓ ନିତ୍ୟନୀତିକୁ ସୁଚାରୁ ଭାବେ ଜାରି ରଖିବା ପାଇଁ ସରକାରଙ୍କ ତରଫରୁ ତୁରନ୍ତ ସ୍ଥାୟୀ କୋଠ ଭୋଗ ଖଞ୍ଜା ବ୍ୟବସ୍ଥା କରାଯିବା ଆବଶ୍ୟକ। ସେହିପରି ଲୋକନାଥ ମନ୍ଦିରର କରିଡ଼ର ନିର୍ମାଣ ହୋଇଥିଲେ ମଧ୍ୟ ସେଠାରେ ଆବଶ୍ୟକ ଗେଟ୍ ନଥିବା ସହିତ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ନଥିବାରୁ

ରାତି ସମୟରେ ସମ୍ପୂର୍ଣ୍ଣ ଅନ୍ଧାର ରହୁଛି। ଏହା ଫଳରେ ଭକ୍ତମାନେ ଦର୍ଶନ ଓ ଯାତାୟାତ ସମୟରେ ଅସୁବିଧାର ସମ୍ମୁଖୀନ ହେବା ସହିତ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହୁଛି। ଏହି ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ଦାବିରେ ଆମ୍ ଆଦ୍ମୀ ପାର୍ଟି, ପୁରୀ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଆପ୍ର ଜିଲ୍ଲା ସମ୍ପାଦକ କହିଛନ୍ତି ଯେ, “ଲୋକନାଥ ମନ୍ଦିର ପୁରୀର ଏକ ଐତିହାସିକ ଓ ଆଧ୍ୟାତ୍ମିକ ପରିଚୟ। ଏଭଳି ଏକ ପ୍ରାଚୀନ ମନ୍ଦିରର କୋଠ ଭୋଗ ପାଇଁ ପ୍ରତିଦିନ ଭକ୍ତ ଓ ଦୋକାନୀଙ୍କ ଦାନ ଉପରେ ନିର୍ଭର କରିବା ଦୁଃଖଦ। ସରକାର ତୁରନ୍ତ ସ୍ଥାୟୀ କୋଠ ଭୋଗ ବ୍ୟବସ୍ଥା କରିବା ସହିତ କରିଡ଼ରରେ ଆଲୋକ, ସେକ୍ୟୁରିଟୀ ଓ ଗେଟ୍ର ବ୍ୟବସ୍ଥା କରନ୍ତୁ।” ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଏହି ଦାବିଗୁଡ଼ିକ ଉପରେ ତୁରନ୍ତ ପଦକ୍ଷେପ ନେଇ ଲୋକନାଥ ମନ୍ଦିରର ଭକ୍ତମାନଙ୍କ ସୁବିଧା ଓ ମନ୍ଦିରର ପରମ୍ପରାକୁ ସୁରକ୍ଷିତ କରିବାକୁ ଦାବି କରିଛି।











