ଶ୍ରୀଜଗନ୍ନାଥ ସଂସ୍କୃତି କେବଳ ଓଡିଶାରେ ସୀମିତ ହୋଇ ରହିନାହିଁ । ସାରାବିଶ୍ଵରେ ଏହା ପରିବ୍ୟାପ୍ତ। ଜଗନ୍ନାଥ ପ୍ରେମ ବିଦେଶୀଙ୍କୁ ବି ଆଚ୍ଛନ୍ନ କରିଛି । ସେଥିପାଇଁ ଇଂଲଣ୍ଡର ବାଥ୍ ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଦେଖିବା ପାଇଁ ବହୁସଂଖ୍ୟାରେ ବିଦେଶୀଙ୍କ ସମାଗମ ହୋଇଥିଲା । ଆଜିକୁ ଦୀର୍ଘ ୧୯ ବର୍ଷ ଧରି ଏହି ପରମ୍ପରା ଉଦଜୀବିତ ରହିଛି । ଏହି ରଥଯାତ୍ରାରେ ପ୍ରବାସୀ ଇଂଲଣ୍ଡ, କାନାଡା, ଆମେରିକା, ମରିସସ୍ ରୁ ବହୁ ଓଡିଆ ଯୋଗଦେଇଛନ୍ତି |
ଚଳିତ ବର୍ଷ ପବିତ୍ର ଆଷାଢ ଶୁକ୍ଳ ଦ୍ବିତୀୟା ତିଥିରେ ଇଂଲଣ୍ଡର ବାଥ୍ ସହରରେ ଥବା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ମହାପ୍ରଭୁଙ୍କ ନବଦିନତ୍ନକ ଯାତ୍ରାକୁ ପ୍ରବାସୀ ଓଡିଆ ଓ ବିଦେଶୀମାନେ ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି । ଚତୁର୍ଦା ବିଗ୍ରହଙ୍କ ମଙ୍ଗଳ ଆଳତି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି ବିଜେ କରାଯାଇଥିଲା । ତିନି ଠାକୁରଙ୍କୁ ସୁସଜ୍ଜିତ ଟାହିଆ ଲଗାଯାଇ ରଥକୁ ପହଣ୍ଡି କରାଯାଇଥିଲା । ପ୍ରଥମେ ବଡଠାକୁର ବଳଭଦ୍ର, ତା ପରେ ମହିଳାମାନେ ଦେବୀ ଶୁଭଦ୍ରାଙ୍କୁ ପହଣ୍ଡି କରି ରଥ ଉପରକୁ ଆଣିଥିଲେ । ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡି କରାଇ ନନ୍ଦିଘୋଷ ଉପରେ ବିରାଜିତ କରାଯାଇଥିଲା ।
ଏହାପରେ ଜଗନ୍ନାଥ ମନ୍ଦିରର ପ୍ରମୁଖ ଟ୍ରଷ୍ଟି ଶ୍ରୀ ଆଶିଷ ରାଜହଂସ ରଥ ଏବଂ ଶ୍ରୀମତୀ ଅନିତା ଦାଶ ଦେବୀ ସୁଭଦ୍ରାଙ୍କ ରଥ ଛେରାପହଁରା କରିଥିଲେ । ପରେ ପରେ ଆନନ୍ଦ ଉଲ୍ଲାସରେ ରଥଟଣା ହୋଇଥିଲା । ବାଥ୍ ସହରର ମୁଖ୍ୟ ରାସ୍ତାରେ ତିନି ରଥ ଗଡିଥିଲା । ସତେ ଯେପରି ବଡଦାଣ୍ଡରେ ମହାପ୍ରଭୁ ନନ୍ଦିଘୋଷରେ ବିରାଜିତ ହୋଇଛନ୍ତି । ହଜାର ହଜାର ଭକ୍ତ ଭାବ ବିଭୋଳରେ ନାଚି ଉଠିଥିଲେ । ଘଣ୍ଟ, ବାଜା କୀର୍ତ୍ତନ ସହ ଜୟ ଜଗନ୍ନାଥ ଧ୍ଵନୀରେ ପ୍ରକମ୍ପିତ ହୋଇଉଠିଥିଲା ରଥଦାଣ୍ଡ।
ବାଥ୍ ସହରରେ ଗତ ପାଞ୍ଚ – ଛଅ ଦିନ ଧରି ରଥଯାତ୍ରା ପ୍ରସ୍ତୁତି ଚାଲିଥିଲା । ଏହି ଅବସରରେ ୧୦୦ ପ୍ରକାରର ଭିନ୍ନ ଭିନ୍ନ ବ୍ୟଞ୍ଜନ ପ୍ରସାଦ ପ୍ରସ୍ତୁତି ସହ ସ୍ଵତନ୍ତ୍ର ପ୍ରସାଦ ସେବନର ବ୍ଯବସ୍ଥା କରାଯାଇଥିଲା । କୁନି କୁନି ପିଲାମାନେ ଭଜନ ଜଣାଣ ଗାଇଥିଲେ । ପହଣ୍ଡି ସମୟରେ କିଛି ସମୟ ପାଇଁ ବର୍ଷା ହୋଇଥିବା ବେଳେ ଲାଗୁଥୁଲା ସତେ ଯେପରି ବଡଦାଣ୍ଡରେ ଭକ୍ତମାନେ ଭାବମୟ ହୋଇଉଠିଛନ୍ତି । ଏହି ଉତ୍ସବରେ ବାଥ୍ ସିଟିର ମେୟର ମାଇକେଲ ଓ ଡୋହାଟି ଏବଂ ଲଣ୍ଡନ କାଉନସିଲର ସଦସ୍ୟମାନେ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମକୁ ସ୍ଥାନୀୟ ବାସିନ୍ଦା ଏବଂ ଶ୍ରୀଜଗନ୍ନାଥ ମନ୍ଦିର, ସିଟି ଅଫ୍ ବାଥ୍ରେ ଟ୍ରଷ୍ଟି ସେବକ ସୁସ୍ମିତା ରାଜହଂସ ପରିଚାଳନା କରିଥିଲେ । ଇଂଲଣ୍ଡର ବାଥ୍ ସହରରେ ରଥଯାତ୍ରା ନୀତି ନିୟମ ଅନୁଯାୟୀ ପ୍ରତିବର୍ଷ ହେଉଛି ଏବଂ ସମସ୍ତଙ୍କ ସହଯୋଗରେ ଏହି ପରମ୍ପରା ବର୍ଷ ବର୍ଷ ଧରି ହୋଇଆସୁଛି । ବିଦେଶରେ ରହି ପୁରୀ ଆସି ପାରିନଥୁବାରୁ ଏଠାରେ ଜଗନ୍ନାଥମୟ ପରିବେଶ ପୁରୀ ଭଳି ଲାଗୁଥିବା ପ୍ରାବସୀ ଓଡିଆ ମିତ୍ରଜିତ୍ ରଥ, ଶ୍ରୀମତୀ ସବିତା ପଣ୍ଡା କହିଛନ୍ତି |
ଏହି ଜଗନ୍ନାଥଙ୍କ ମନ୍ଦିରରେ ଶହ ଶହ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ତା କରାଯାଇଥିଲା । ମନ୍ଦିରରେ ପ୍ରତିଦିନ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଆନନ୍ଦ ବଜାରରେ ଅନ୍ନଦାନ କରାଯାଏ । ଏହା ସହ ଇଂଲଣ୍ଡର ବାସିନ୍ଦା ତଥା ବିଦେଶୀ ମାନେ ମଧ୍ଯ ଏଠାରେ ଜଗନ୍ନାଥ ସଂସ୍କୃତି ଓ ହିନ୍ଦୁ ଧର୍ମର ପ୍ରସାର ପ୍ରଚାର କରିବାରେ ସହଯୋଗ କରୁଛନ୍ତି ବୋଲି କହିଛନ୍ତି ।











