Home / ମୁଖ୍ୟ ଖବର / ବାବା ଲୋକନାଥ ଓ ହର ହର ମହାଦେବରେ ପ୍ରକମ୍ପିତ ହେଲା ଯଜ୍ଞସ୍ଥଳ

ବାବା ଲୋକନାଥ ଓ ହର ହର ମହାଦେବରେ ପ୍ରକମ୍ପିତ ହେଲା ଯଜ୍ଞସ୍ଥଳ

baba1

ପୁରୀ – ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ (ଗୋବିନ୍ଦ ଗୋଧାମ ଗୋଶାଳା) ଏବଂ ରାଜସ୍ଥାନର ଶ୍ରୀ ସୀତାରାମ ଦାସ ଜୀ ମହାରାଜ ବଲଡାଧାମ ବିକାଶ ସମିତି ମିଳିତ ଆନୁକୁଲ୍ୟରେ ରାଷ୍ଟ୍ରୀୟ ୧୦୮ କୁଣ୍ଡୀୟ ଶ୍ରୀ ଶ୍ରୀ ୧୦୦୮ ଶ୍ରୀ ଜଗନ୍ନାଥ ପରମବ୍ରହ୍ମ ବିଶ୍ୱ କଲ୍ୟାଣ ଶାନ୍ତି ମହାଯଜ୍ଞର ଷଷ୍ଠ ଦିବସରେ ବାବା ଲୋକନାଥ ଓ ହର ହର ମହାଦେବରେ ପ୍ରକମ୍ପିତ ହେଲା ଯଜ୍ଞସ୍ଥଳ । ଓଡିଶାର ପ୍ରସିଦ୍ଧ ଶୈବପୀଠ ପୁରୀର ବାବା ଶ୍ରୀ ଲୋକନାଥଦେବଙ୍କ ୪୦ ଜଣ ସେବାୟତ ସାମୁହିକଭାବେ ଯଜ୍ଞସ୍ଥଳରେ ଯୋଗଦେଇ ଯଜ୍ଞକୁଣ୍ଡ ଦର୍ଶନ ସହିତ ପ୍ରଦକ୍ଷଣ କରିବା ସମୟରେ ବାବା ଲୋକନାଥ ଜୀ କୀ ଜୟ ଓ ହର ହର ମହାଦେବ ଧ୍ୱନି ଉଚ୍ଚାରଣ କରି ଯଜ୍ଞସ୍ଥଳର ପାବନ ବାତାବରଣରେ ନିଜକୁ ହଜାଇ ଦେଇଥିଲେ । ଏହାପରେ ରାଜସ୍ଥାନ ବଲଡାଧାମର ପ୍ରସିଦ୍ଧ ସନ୍ଥ ଶ୍ରୀ ଶ୍ରୀ ୧୦୮ ଶ୍ରୀ ସୀତାରାମ ଦାସ ଜୀ ମହାରାଜଙ୍କର ଦର୍ଶନ କରିଥିଲେ ।

baba2

ସେହିଭଳି ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ଓଡିଶା ରାଜ୍ୟ ସଭାପତି ଡ. ଐଶର୍ଯ୍ୟା ବିଶ୍ୱାଳ, ପୁରୀର ପୂର୍ବତନ ନଗରପାଳ ଶାନ୍ତିଲତା ପ୍ରଧାନ, ଭାଜପାର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମଧୁସୂଦନ ସିଂହାରୀ ଯଜ୍ଞସ୍ଥଳରେ ବସି ଦୀର୍ଘଘଣ୍ଟା ଧରି ଆହୁତି କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ । ଏହାପରେ ଯଜ୍ଞସ୍ଥଳରେ ଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧନ କରି ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡ. ଐଶର୍ଯ୍ୟା ବିଶ୍ୱାଳ କହିଥିଲେ ଯଜ୍ଞ ଆତ୍ମାକୁ ପବିତ୍ର କରିବା ସହିତ ସମାଜର କଳୁଷିତ ମନୋଭାବ ଦୂର କରି ଶାନ୍ତି ପ୍ରତିଷ୍ଠା ସହ ରାମରାଜ୍ୟରେ ପରିଣତ ହେବ ଏଥିରେ ସନ୍ଦେହ ନାହିଁ । ତେଣୁ ଏହିଭଳି ଧାର୍ମିକ ପରିବେଶରେ ସାମିଲ ହୋଇ ନିଜକୁ ଧନ୍ୟ ମନେକରୁଛି ।
ସେହିଭଳି ବାବା ଲୋକନାଥଙ୍କ ସେବାୟତବୃନ୍ଦ ଭବ୍ୟ ଆୟୋଜନର ଉଦ୍ଦେଶ୍ୟ ବିଶ୍ୱଶାନ୍ତି, ଗୋମାତାଙ୍କ ସୁରକ୍ଷା,ସନାତନ ଧର୍ମର ରକ୍ଷା କ୍ଷେତ୍ରରେ ନିଶ୍ଚିତ ଫଳବତୀ ହୋଇପାରିବ ବୋଲି ମତପୋଷଣ କରିଥିଲେ । ସମସ୍ତ ଅତିଥିମାନଙ୍କୁ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷା ରଞ୍ଜିତା ପାଢୀ, ଗୋବିନ୍ଦ ଗୋଧାମ ଗୋଶାଳାର ପ୍ରତିଷ୍ଠାତା ତଥା ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ସ୍ୱାଗତ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ତଥା ଟ୍ରଷ୍ଟର ମୁଖପାତ୍ର ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY