Home / ଆଧ୍ୟାତ୍ମିକ / ମା ମଙ୍ଗଳାଙ୍କ ସର୍ବାଙ୍ଗ ଚନ୍ଦନ ବେଶ ଓ ଦଧିବାମନ ଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ

ମା ମଙ୍ଗଳାଙ୍କ ସର୍ବାଙ୍ଗ ଚନ୍ଦନ ବେଶ ଓ ଦଧିବାମନ ଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ

maa jagannath

କାକଟପୁର : ତା ୨୨/୬ -( ତୁଷାର ଦୀକ୍ଷିତ ) ,ଆଜି ହେଉଛି ପବିତ୍ର ଦେବସ୍ନାନ ପୁର୍ଣିମା । ଆଜିର ଦିନରେ ନୀଳାଦ୍ରିନାଥ ମହାପ୍ରଭୁ ଜଗନ୍ନାଥ ଏବଂ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆରମ୍ଭ ହୋଇଥାଏ ରଥଯାତ୍ରାର ଆରମ୍ଭ । ଏହି ଅବସରରେ ଆଜିର ଦେବସ୍ନାନ ପୁର୍ଣିମାରେ କାକଟପୁର ବାସିନୀ ମା ମଙ୍ଗଳାଙ୍କ ମନ୍ଦିର ରେ ଆୟୋଜିତ ହୋଇଥାଏ ସ୍ଵତନ୍ତ୍ର ପରମ୍ପରା ଏବଂ ରୀତିନୀତି ।ଆଜିର ସ୍ଵତନ୍ତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମଙ୍ଗଳା ମନ୍ଦିର ପରମ୍ପରା ଅନୁଯାଇ ମା ମଙ୍ଗଳାଙ୍କ ସର୍ବାଙ୍ଗ ଚନ୍ଦନ ବେଶ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ୮ ରୁ ୧୦ କେଜି ଓଜନର ଚନ୍ଦନ କାଠ ବ୍ୟବହାର କରାଯାଇଥିବା ବେଳେ ସେଥିରେ କର୍ପୁର ,ଅଗୁର ,ଜାଇଫଳ ଭଳି ଅନେକ ସୁବାସିତ ପଦାର୍ଥ ବି ବ୍ୟବହାର କରାଯାଇଥାଏ । ମଙ୍ଗଳା ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି l ଅପରାହ୍ନ ଚାରିଟା ସମୟରେ ମା ମଙ୍ଗଳାଙ୍କୁ ସୁବାସିତ ଜଳରେ ସ୍ନାନ କରାଯାଇ ଘୋରାଯାଇଥିବା ଚନ୍ଦନ ଦ୍ଵାରା ମା ମଙ୍ଗଳାଙ୍କ ଶରୀରରେ ଲେପ ଦିଆଯାଇଥାଏ | ଏହି ବେଶରେ ମା ମଙ୍ଗଳାଙ୍କ ନିକଟରେ ଶୁଭ୍ର ପାଟବସ୍ତ୍ର ଲାଗିକରାଯିବା ସହିତ ସହିତ ଧଳାରଙ୍ଗର ଫୁଲ କୁ ମଧ୍ୟ ମା ଙ୍କ ନିକଟରେ ଲାଗି କରାଯାଇଥାଏ । ଏହି ଦୁର୍ଲ୍ଲଭ ବେଶକୁ ଦର୍ଶନ କରିବାପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଭକ୍ତ ମାନେ ଛୁଟି ଆସନ୍ତି l ଏହି ବେଶକୁ ଦର୍ଶନ କଲେ କୋଟି ଜନ୍ମର ପାପରୁ ମୁକ୍ତି ମିଳେ ବୋଲି ପୌରାଣିକ ମତ ରହିଛି l ଅପର ପକ୍ଷରେ ମା ମଙ୍ଗଳା ମନ୍ଦିର ବେଢାରେ ଥିବା ଦଧିବାମନ ଜିଉଙ୍କ ସ୍ନାନନୀତି ଅନୁଷ୍ଠିତ ହୋଇଛି l ସକାଳ ୭ ଘଟିକା ସମୟରେ ଶ୍ରୀ ଜିଉଙ୍କୁ ସ୍ନାନ, ତଡପ ଲାଗି ଓ ମୈଲମ ବେଶ କରାଯିବା ପରେ ଗୋଟି ପହଣ୍ଡିରେ ସ୍ନାନ ବେଦୀକୁ ନିଆଯାଇଥିଲା l ସେଠାରେ ସ୍ନାନ ନୀତି କରାଯିବାପରେ ସେବାୟତ ମାନଙ୍କ ଦ୍ୱାରା ବାଳ ଧୂପ ଓ ଖେଚୁଡ଼ି ଭୋଗ କରାଯାଇ ସନ୍ଧ୍ୟାରେ ଜିଉଙ୍କୁ ହାତୀ ବେଶରେ ସଜ୍ଜିତ କରାଯାଇଥିଲା l ରାତିରେ ବଡ଼ସିଂହାର ନୀତି ବେଶ କରାଯାଇ ଗୋଟି ପହଣ୍ଡିରେ ଜିଉଙ୍କୁ ଅଣସର ପିଣ୍ଡି କୁ ନିଆଯାଇଥିଲା l ଆଜିଠାରୁ ଦଧିବାମନ ଜ୍ୱରରେ ପୀଡିତ ହୋଇ ୧୫ ଦିନ ପରେ ଭକ୍ତମାନଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ବୋଲି ମନ୍ଦିର ଟ୍ରଷ୍ଟି ତଥା ସ୍ଥାନୀୟ ତହସିଲଦାର ଅଙ୍କିତା ଅନିନ୍ଦିତା ଓ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply