Home / ଆଧ୍ୟାତ୍ମିକ / ଦେଉଳି ମଠରୁ ଶ୍ରୀମନ୍ଦିର ଗଲା ଅଣସର ଫଳ ଶଗଡି

ଦେଉଳି ମଠରୁ ଶ୍ରୀମନ୍ଦିର ଗଲା ଅଣସର ଫଳ ଶଗଡି

sagada

କାକଟପୁର – ତା ୨୮/୬-( ତୁଷାର ଦୀକ୍ଷିତ ), ପ୍ରଭୁ ଜଗନ୍ନାଥ ବିଶ୍ୱର ଏପରି ଏକ ଠାକୁର ଯାହାଙ୍କର ଈଶ୍ୱରୀୟ ଲୀଳା ଠାରୁ ମାନବୀୟ ଲୀଳା ଅଧିକ ପ୍ରସିଦ୍ଧ। ଏହି ରୀତି ରେ ବାର ମାସରେ ତେର ପର୍ବ ଓ ଅସଂଖ୍ୟ ଭଗବତ ଅନୁଷ୍ଠାନ ଏହି ଜଗନ୍ନାଥ ସଂସ୍କୃତି ର ଅବଦାନ । ଏହି ରୀତିନୀତି ସହ ଉତ୍କଳ ର ବିଭିନ୍ନ ପ୍ରାନ୍ତରେ ଥିବା ବିଭିନ୍ନ ମଠ ମନ୍ଦିର ର ସମ୍ପର୍କ ତଥା ଅନେକ ସେବା ଓ ଖଞ୍ଜାପଡ଼ା ବ୍ୟବସ୍ଥା ରହିଛି ।ପୁରାଣ ବର୍ଣିତ ପବିତ୍ର ପ୍ରାଚୀନଦୀ ହେଉଛି ଜଗନ୍ନାଥ କ୍ଷେତ୍ର ର କ୍ଷେତ୍ର ନଦୀ । ପ୍ରାଚୀ ତଟ ରେ ଥିବା ମଠ ଆଶ୍ରମ ଓ ମନ୍ଦିର ଗୁଡିକ ସହିତ ଶ୍ରୀମନ୍ଦିର ର ଅନେକ ସେବା ଜଡିତ । ମାଧବ ମନ୍ଦିରରୁ ପଢୁଆଁ ଅଷ୍ଟମୀ ସେବା ଓ ସର୍ବବିଦିତ ନବକଳେବର ର ଅନେକ ନୀତିକାନ୍ତି ପ୍ରାଚୀ ତଟ ର ଦେଉଳି ମଠ ରେ ଗୁପ୍ତ ଭାବେ ସମ୍ପାଦିତ ହୋଇଥାଏ ।ପୁନଶ୍ଚ ମହାପ୍ରଭୁଙ୍କର ବାହାର ଚାପ ଓ ଭିତର ଚାପ ଖେଳ ପରେ ସ୍ନାନପୁର୍ଣିମାରେ ମହାସ୍ନାନ ସାରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଜର ହେଇଛି । ଫୁଲୁରୀ ତେଲ ଲାଗି ହୋଇ ଦିଅଁମାନେ ସ୍ୱଳ୍ପ ଆରାମ ଲାଭ କରିଛନ୍ତି ।ଏହି ଅବସରରେ ପ୍ରାଚୀ ତଟ ବନଜାଗ ଲୀଳାସ୍ଥଳୀ ଦେଉଳି ମଠରୁ ଅଣବସର ସେବା ନିମିତ୍ତ ଫଳ ଭାର ଶଗଡ଼ ପୁରୀ ଅଭିମୁଖେ ଯାଇଛି । ଖୋଳତାଳ ସଂକୀର୍ତନ ର ତାଳେ ତାଳେ ଗାଁ ଗାଁ ଦେଇ ବିଭିନ୍ନ ଦେବ ପୀଠ ସ୍ପର୍ଶ କରି ଶଗଡ଼ ବଳଦ ଓ ଭକ୍ତ ମାନେ ପୁରୀ ଅଭିମୁଖେ ପଦଯାତ୍ରା କରି ଯାଇଛନ୍ତି। ମଠ ବାଡ଼ି ତଥା ଭକ୍ତ ମାନଙ୍କ ପ୍ରଦତ୍ତ ବିଭିନ୍ନ ସୁସ୍ୱାଦୁ ଫଳ, ତୁଳସୀ ଓ ପଦ୍ମଫୁଲ ମାଳ ମହାପ୍ରଭୁଙ୍କ ସେବା ପାଇଁ ଶ୍ରୀକ୍ଷେତ୍ର ଯାଇଛି । ବାଟରେ ପୂର୍ବନିର୍ଧାରିତ ଦେବପୀଠ ମାନଙ୍କରେ ବିଶ୍ରାମ କରିବା ସହ ଭକ୍ତ ମାନେ ନାମ ସଂକୀର୍ତନ କରୁଛନ୍ତି। ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦର ଦ୍ୱାରା ଚାଲି ଆସୁଥିବା ଏହି ପଦଯାତ୍ରା ଅଣସର ସପ୍ତମୀ ରେ ଦେଉଳି ମଠରୁ ବାହାରି ନବମୀ ଦିନ ଶ୍ରୀକ୍ଷେତ୍ର ରେ ପହଂଚିବା ପୂର୍ବକ ଶ୍ରୀମନ୍ଦିର ପରିସରରେ ଥିବା ନୃସିଂହ ଚକଡାରେ ଫଳ ପୁଷ୍ପ ଆଦି ଶ୍ରୀଜୀଉମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯିବ। ମା ବିମଳାଙ୍କ ପାଖରେ ପଦ୍ମଫୁଲ ଭାର ଅର୍ପଣ କରାଯିବ। ଗତ ତିନି ବର୍ଷ ହେବ ଦେଉଳି ମଠ ଡେଭଲପମେଣ୍ଟ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଏକ ସୁସଜ୍ଜିତ ଶଗଡ଼ରେ ପାରମ୍ପରିକ ରୀତିନୀତି ରେ ଫଳଭାର ଯିବା ବ୍ୟବସ୍ଥାକୁ ମା ମଙ୍ଗଳା ମନ୍ଦିରର ସେବାୟତଗଣ ତଥା ମୁକ୍ତିମଣ୍ଡପ ର ପଣ୍ଡିତ ମାନେ ସ୍ୱାଗତ ଜଣାଇଛନ୍ତି ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply